କୋଲକାତାକୁ ବର୍ଷା ବିଦା କଲା

ଗତ ବର୍ଷର ବିଜେତା କୋଲକାତା ନାଇଟ୍ ରାଇଡର୍ସ  ଏଥର ପ୍ଲେ ଅଫ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି।

ଅସ୍ଥିର ପ୍ରଦର୍ଶନ ସାଙ୍ଗକୁ ଦୁଇ ଦୁଇଟି ମ୍ୟାଚ୍‌ ବର୍ଷା ‌ଧୋଇ ନେବା ଅଜିଙ୍କ୍ୟ ରାହାଣେଙ୍କ ଦଳକୁ ଆଗୁଆ ବିଦାୟ ରାସ୍ତା ଦେଖାଇଛି।

ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତି ପରେ ଶନିବାରଠାରୁ ଆଇପିଏଲ୍‌ ପୁଣି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଛି। ଫଳରେ କର ବା ମର ସ୍ଥିତିରେ ଥିବା କୋଲକାତା ନାଇଟ୍ ରାଇଡର୍ସ ଆଶା ପାଣିରେ ମିଶିଯାଇଛି।

ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ବର୍ଷା ‌ଆଦୌ ବାଟ ଛାଡ଼ିନଥିଲା। ଫଳରେ ରାତି ସାଢ଼େ ଦଶଟାରେ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ବାତିଲ ଘୋଷଣା କରିଦିଆଯାଇଥିଲା। ଟେଷ୍ଟ୍ ଅବସର ପରେ ବିରାଟ କୋହଲିଙ୍କ ତାଙ୍କ ଘରୋଇ  ଗ୍ରାଉଣ୍ଡ୍‌ରେ ଦେଖିବାକୁ ଆସିଥିବା ପ୍ରଶଂସକମାନେ ବି ନିରାଶ ‌ହୋଇ ଫେରିଥିଲେ। ଆର୍‌ସିବି କିନ୍ତୁ ଆଉ ଏକ ପଏଣ୍ଟ୍ ଯୋଡ଼ି ଶୀର୍ଷକୁ ଉଠିବା ସହ ପ୍ଲେ ଅଫ୍‌ ପ୍ରବେଶକୁ ନିଶ୍ଚିତ କରିନେଇଥିଲା।

Leave a comment