କପିଳଙ୍କୁ ଟପିଲେ ଅଶ୍ୱିନୀ
ମେଟ୍ରୋ ଟିଭି ଓଡିଶା (୭.୩ .୨୦୨୨) :
କୀର୍ତ୍ତିମାନଭରା ତଥା ଏକାଧିକ ମାଇଲଖୁଣ୍ଟ ସ୍ଥାପିତ ହୋଇଥିବା ଦିନରେ ପରାକ୍ରମୀ ପ୍ରଦର୍ଶନ କରି ମୋହାଲି ଟେଷ୍ଟ୍କୁ ମାତ୍ର ୩ ଦିନ ଭିତରେ ଜିତି ନେଇଛି ଭାରତୀୟ କ୍ରିକେଟ୍ ଦଳ। ରବିବାର ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ବିଶ୍ୱ କ୍ରିକେଟ୍ର ଷଷ୍ଠ ଖେଳାଳି ଭାବେ କୌଣସି ଟେଷ୍ଟ୍ର ଗୋଟିଏ ପାଳିରେ ୧୫୦ରୁ ଅଧିକ ରନ୍ ସହ ୫ ୱିକେଟ୍ ସଫଳତା ପାଇଥିଲା ବେଳେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନୀ ଦିନକ ଭିତରେ ତିନି ମହାନ ବୋଲର ରିଚାର୍ଡ ହାଡଲି, ରଙ୍ଗଣା ହେରାଥ ଏବଂ କପିଳ ଦେବଙ୍କୁ ଟପିବାର ଅନନ୍ୟ କୀର୍ତ୍ତିମାନ ଲାଭ କରିଛନ୍ତି।

ଆଉ ସେହି ଭିତରେ ଭାରତୀୟ ବୋଲରଙ୍କ ଘନ ଘନ ଆକ୍ରମଣରେ ଗୁରୁତର ଘାଇଲା ହୋଇ ୬୭ ରନ୍ ଭିତରେ ୧୬ ୱିକେଟ୍ ହରାଇଥିଲା ଅସହାୟ ଶ୍ରୀଲଙ୍କା। ଫଳରେ ଗୋଟିଏ ପାଳି ଏବଂ ୨୨୨ ରନ୍ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଏହି ଆଧିପତ୍ୟଭରା ବିଜୟ ବଳରେ ବେଙ୍ଗାଲୁରୁଠାରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ ପୂର୍ବରୁ ୧-୦ରେ ଆଗୁଆ ହୋଇଯାଇଥିଲା ଭାରତ। ପୂରା ମ୍ୟାଚ୍ରେ ଭାରତ ଆରମ୍ଭରୁ ଶେଷ ଯାଏ ପ୍ରାଧାନ୍ୟ ବିସ୍ତାର କରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ମ୍ୟାଚ୍କୁ ବି ସ୍ମରଣୀୟ କରିଥିଲା।