ଇତିହାସ ରଚିଲା ସନ୍‌ରାଇଜର୍ସ

ଆଇପିଏଲ୍‌ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବୋଚ୍ଚ ସ୍କୋର କରିବା ସହ ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନ୍‌ରେ ପରାସ୍ତ କରିଛି। ବୁଧବାର ଆଇପିଏଲ୍‌ର ଏକ ରୋମାଞ୍ଚକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର୍‌ଙ୍କୁ ଟ୍ରାଭିସ୍ ହେଡ୍‌ (୬୨, ୨୪ ବଲ୍‌, ୯ ଚୌକା, ୩ ଛକା), ଅଭିଷେକ ଶର୍ମା (୬୩, ୨୩ ବଲ୍‌, ୩ ଚୌକା, ୭ ଛକା), ଐଡ଼େନ୍‌ ମାରକ୍ରମ (୪୨*, ୨୮ ବଲ୍‌, ୨ ଚୌକା, ୧ ଛକା) ଓ ହେନରିକ କ୍ଲାସେଁ (୮୦*, ୩୪ ବଲ୍‌, ୪ ଚୌକା, ୭ ଛକା) ଧୂଲେଇ କରିଥିଲେ। ଏହାଫଳରେ ହାଇଦ୍ରାବାଦ୍‌ ୩ ୱିକେଟ୍‌ ବିନିମୟରେ ୨୭୭ ରନ୍‌ ସଂଗ୍ରହ କରିବା ସହ ୧୧ ବର୍ଷର କୀର୍ତ୍ତିମାନ ଭାଙ୍ଗିଛି। ପୂର୍ବରୁ ଆର୍‌ସିବି ୨୦୧୩ରେ ପୁନେ ୱାରିଅର୍ସ ବିପକ୍ଷରେ ୨୬୩/୫ ସ୍କୋର କରିଥିଲା। ବୁଧବାର ଯଶପ୍ରୀତ୍‌ ବୁମ୍‌ରା (୯.୦୦)ଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଇକୋନୋମି ୧୦ ଉପରେ ରହିଥିଲା।