ଆଜି କେକେଆର୍‌ ସହ ଲଢ଼ିବ ଏସ୍‌ଆରଏଚ୍

ଆଇପିଏଲ୍‌-୨୦୨୪ର ଅନ୍ତିମ ମୁକାବିଲା ଆଉ ମାତ୍ର କିଛି ଘଣ୍ଟା ପରେ ଖେଳାଯିବ। ବିଶ୍ବର ସବୁଠାରୁ ଧନୀ, ଲୋକପ୍ରିୟ ତଥା ଚର୍ଚ୍ଚିତ ଲିଗ୍‌ର ଟ୍ରଫି ଟକ୍କରରେ ରବିବାର ଦୁଇ ଟାଣୁଆ ଦଳ କୋଲାକତା ନାଇଟ୍ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏଥିଲାଗି କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ବର କ୍ରିକେଟ୍ ଜଗତ ଉତ୍ସାହିତ। କ୍ରିକେଟ୍‌ର ସବୁଦିଗରୁ ଦୁଇଟି ଯାକ ଦଳ ମହାଶକ୍ତିଶାଳୀ ହୋଇଥିବାରୁ ରବିବାରର ଫାଇନାଲ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ମଧ୍ୟ ଏହି ବହୁ ପ୍ରତୀକ୍ଷିତ ମେଗା ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ରହିଛି। ରାତି ୭ଟା ୩୦ରୁ ଆରମ୍ଭ ହେବାକୁ ଥିବା ମହାଲଢ଼େଇ ପାଇଁ ଦୁଇ ଦଳର ଖେଳାଳି ମଧ୍ୟ ଉଲ୍ଲସିତ ଅଛନ୍ତି। ଉଭୟ ଦଳ ହୀରା ଖଚିତ ଟ୍ରଫି ସହ ମୋଟା ଅଙ୍କର ପୁରସ୍କାର ରାଶି ଉପରେ ନିଜନିଜର ଦାବିଦାରି ଉପସ୍ଥାପନା କରିଛନ୍ତି।