ଆଇପିଏଲ୍ ପ୍ରଥମାର୍ଦ୍ଧ ପ୍ରଦର୍ଶନ ବିଚାରକୁ ନିଆଯିବ

ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ୧୫ ଜଣିଆ ଭାରତୀୟ ଦଳ ଘୋଷଣା ଏପ୍ରିଲ ଶେଷ ସୁଦ୍ଧା କରାଯିବ। ଏଥିଲାଗି ମେ ପହିଲା ଶେଷ ତାରିଖ ରହିଛି। ତେବେ ମେ ୨୫ ସୁଦ୍ଧା ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ଏଥିରେ ଅଦଳ ବଦଳ କରିବାର ଝରକା ରହିବ। ଏହା ପରେ କିନ୍ତୁ ଖେଳାଳି ତାଲିକାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ବିଷୟରେ ସୂଚନା ଦେବାକୁ ଯାଇ ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଭାରତୀୟ ଦଳ ଘୋଷଣା ଏପ୍ରିଲ ଶେଷ ସପ୍ତାହରେ କରାଯିବ। ଏହି ସମୟ ସୁଦ୍ଧା ଆଇପିଏଲ୍‌ର ପ୍ରଥମାର୍ଦ୍ଧ ଶେଷ ହୋଇସାରିଥିବ ଏବଂ ଜାତୀୟ ଚୟନକର୍ତ୍ତା ଆଶାୟୀଙ୍କ ଫର୍ମ ଓ ଫିଟନେସ୍‌କୁ ଆକଳନ କରିବାର ସ୍ଥିତିରେ ଥିବେ। ମେ ୧୯ରେ ଆଇପିଏଲ୍‌ର ଲିଗ୍ ପର୍ଯ୍ୟାୟ ଶେଷ ହେବାର ଠିକ୍ ପରେ ପରେ କିଛି ଖେଳାଳି ଆଗୁଆ ନ୍ୟୁୟର୍କ ଯାତ୍ରା କରିବେ। ଯେଉଁ ଦଳଗୁଡ଼ିକ ନକ୍‌ଆଉଟ୍ ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ, ସେହି ଦଳର ଭାରତୀୟ ଖେଳାଳିମାନେ ହିଁ ଗତବର୍ଷର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଭଳି ଆଗୁଆ ପ୍ରତିଯୋଗିତା ଆୟୋଜନ ସ୍ଥଳକୁ ଯିବେ। ବିଶ୍ବକପ୍ ସୁଦୂର ଆମେରିକା, ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବାରୁ ଭାରତୀୟ ଦଳ ସହ କିଛି ସଂରକ୍ଷିତ ଖେଳାଳି ମଧ୍ୟ ରହିବେ। ଯଦି କୌଣସି ଖେଳାଳି ଅସୁସ୍ଥ କିମ୍ବା ଆହତ ହୁଅନ୍ତି, ଦୂରତା ଦୃଷ୍ଟିରୁ ତାଙ୍କୁ ବଦଳାଇବା ଆଦୌ ସହଜ ହେବନି। ସେହି ଦୃଷ୍ଟିରୁ ଏଥର ସଂରକ୍ଷିତ ଖେଳାଳି ସଂଖ୍ୟା ବଢ଼ିପାରେ। ସେହିଭଳି ବିଶ୍ବକପ୍‌ର ସବୁ ମ୍ୟାଚ୍ ବେଳେ ଜାତୀୟ ଚୟନକର୍ତ୍ତା ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହିବେ। ଗତ ବିଶ୍ବକପ୍ ଗୁଡ଼ିକ‌ରେ କିନ୍ତୁ ଚୟନକର୍ତ୍ତାମାନେ କିଛି ହାତଗଣତି ମ୍ୟାଚ୍‌ ଦେଖିବାକୁ ଯାଉଥିଲେ। ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକୁ ଟେଲିଭିଜନ୍‌ ପରଦାରେ ଦେଖି ଖେଳାଳିଙ୍କ ପ୍ରଦର୍ଶନ ପରଖୁଥିଲେ। ଏଥର ଏହି ଧାରା ବଦଳିବ।