ବିଶ୍ବ ମହାସାଗର ଦିବସ
ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘି ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଗଞ୍ଜାମ ଜିଲ୍ଲାର ଗଞ୍ଜାମ, ଛତ୍ରପୁର, ରଂଗେଇଲୁଣ୍ଡା ଓ ଚିକିଟି ବ୍ଲକ୍ ଉପକୂଳ ଅଞ୍ଚଳରେ ରହିଛି। ଏହି ବ୍ଲକ୍ମାନଙ୍କର ସମୁଦ୍ରକୂଳ ସଂଲଗ୍ନ ଗାଁମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ସମୁଦ୍ର କୂଳ ଖାଇବା ଯୋଗୁଁ ଗଞ୍ଜାମ ବ୍ଲକ୍ର ପୋଡ଼ମପେଟା ଓ ଚିକିଟି ବ୍ଲକ୍ର ରାମେୟାପାଟଣା ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୋଡ଼ମପେଟା ଗ୍ରାମ ଭୌଗୋଳିକ ମାନଚିତ୍ରରୁ ଏକ ପ୍ରକାର ହଜିଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଗାଁକୁ ସମୁଦ୍ର ଗିଳି ସାରିଲାଣି। ଜୁଆର ମାଡ଼ରେ ଘରଗୁଡ଼ିକ ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି। ଆସନ୍ତାକାଲି ହେଉଛି ବିଶ୍ବ ମହାସାଗର ଦିବସ। ଗତକାଲି ଥିଲା ଅମାବାସ୍ୟା। ଏଥିପାଇଁ ସମୁଦ୍ର ଅଶାନ୍ତ ରହିବା ସହ ବଡ଼ବଡ଼ ଜୁଆର ଆସୁଛି। ଫଳରେ ଋଷିକୁଲ୍ୟା ମୁହାଣ ସଂଲଗ୍ନ ଅଲିଭ୍ରିଡ୍ଲେଙ୍କ ଗଣଅଣ୍ଡାଦାନ ସ୍ଥଳୀ ପୋଡ଼ମପେଟା ବାଲୁକା ଶଯ୍ୟା ଧୋଇହୋଇ ଯାଇଛି।ସାମୁଦ୍ରିକ ସୁରକ୍ଷା ଆଇନ ଅନୁସାରେ ପୋଡ଼ମପେଟା ଗ୍ରାମ ସମୁଦ୍ର ଠାରୁ ୨କିମି ଭିତରେ ଥିବା ବେଳେ ବାରମ୍ବାର କୂଳ ଖାଉଥିବା ଯୋଗୁ ଗାଁକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୮ ମସିହାରେ ଗଞ୍ଜାମ ତହସିଲ ରାମଗଡ଼ ପଞ୍ଚାୟତ ଝାଡ଼ିପଦରରେ ଓଡିଆର୍ପିରେ ସରକାରଙ୍କ ତରଫରୁ ପରିବାରବର୍ଗଙ୍କୁ ଘର ଯୋଗାଇ ଦିଆଯାଇଛି।
ଅନ୍ୟପଟେ ବାରମ୍ବାର ଋଷିକୁଲ୍ୟା ମୁହାଣର ଗତିପଥ ପରିବର୍ତ୍ତନ ସହିତ ସମୁଦ୍ର କୂଳ ଲଙ୍ଘିବା ଯୋଗୁ ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଗୋଖରକୁଦା, ପୁରୁଣାବନ୍ଧ, କଣ୍ଟିଆଗଡ଼ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏପରିକି ଗତ ପ୍ରାୟ ୮/୧୦ ବର୍ଷ ଭିତରେ ସମୁଦ୍ର ପ୍ରାୟ ୮ଶହରୁ ଏକ ହଜାର ମିଟର ଆଗକୁ ମାଡ଼ି ଆସି ପୋଡ଼ମପେଟା ଗାଁରେ ଜୁଆର ମାଡ଼ କରୁଛି ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଚିକିଟି ବ୍ଲକ୍ର ରାମେୟାପାଟଣା ଗାଁର ଲୋକମାନେ ମାଛ ଧରି ଜୀବନଜୀବିକା ନିର୍ବାହ କରିଥାନ୍ତି। ଏଣୁ ସେମାନେ ସମୁଦ୍ର କୂଳରେ ରହୁଛନ୍ତି। ଅନ୍ୟ କିଛି ରୋଜଗାର ପନ୍ଥା ନଥିବାରୁ ମତ୍ସ୍ୟଜୀବୀ ପରିବାର ଗାଁ ଛାଡ଼ୁ ନାହାନ୍ତି। ଫଳରେ ପ୍ରତିବର୍ଷ ଦେଖା ଦେଉଥିବା ପ୍ରାକୃତିକ ଦୁର୍ବିପାକ ସମୟରେ ରାମେୟାପାଟଣା ଗାଁର ଘର ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି। ସେହିଭଳି ଛତ୍ରପୁର ବ୍ଲକ୍ର ଆର୍ଯ୍ୟପଲ୍ଲୀ ପଞ୍ଚାୟତର କେତେକ ଗାଁ ସମୁଦ୍ର ନିକଟରେ ରହିଛି। ଆର୍ଯ୍ୟପଲ୍ଲୀରେ ଥିବା ସାମୁଦ୍ରିକ ଥାନା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ରଂଗେଇଲୁଣ୍ଡା ବ୍ଲକ୍ର ମାର୍କଣ୍ଡି ଗ୍ରାମର ମଧ୍ୟ ସେହି ସମାନ ଅବସ୍ଥା।