ସାମାଜିକ ଗଣମାଧ୍ୟମରେ ବଢ଼ି ଚାଲିଛି ଆପତ୍ତିଜନକ ପୋଷ୍ଟ୍‌ର ପରିମାଣ,ହଟିବ ୨୪୯ ବିବାଦୀୟ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ବଢ଼ି ଚାଲିଛି ଆପତ୍ତିଜନକ ପୋଷ୍ଟ୍‌ର ପରିମାଣ। ଏହା ସହିତ ଏହି ନିର୍ବାଚନ ସମୟରେ ରାଜନୀତି ସମ୍ବନ୍ଧୀୟ ହେଟ୍‌ ସ୍ପିଚ୍‌, ବିବାଦୀୟ/ମିଛ ଭିଡିଓ ନିର୍ବାଚନୀ ମାହୋଲକୁ ବିଗାଡ଼ିବାରେ ଯଥେଷ୍ଟ ଆଶଙ୍କା ରହିଛି। ଏବେ ସମାଜିକ ଗଣମାଧ୍ୟମରେ ନେତାମାନଙ୍କର ଡିପ୍‌ଫେକ୍‌ ପ୍ରସ୍ତୁତ ମିଛ ଭି଼ଡିଓ ସହିତ ସେମାନଙ୍କର ବକ୍ତବ୍ୟକୁ ଆପତ୍ତିଜନକ ଭାବେ ଏଡିଟିଂ କରା ଯାଇଥିବା ଭିଡିଓ ଏବଂ ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଛି। ଏହିସବୁ ଆପତ୍ତିଜନକ ପୋଷ୍ଟ୍‌କୁ ନିୟନ୍ତ୍ରଣ କରିବା କମିସନରେଟ ପୁଲିସ ପାଇଁ ବଡ଼ ଆହ୍ବାନ ହୋଇଛି। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଭୁବନେଶ୍ବର ଓ କଟକ ପାଇଁ ଏକ ସ୍ବତନ୍ତ୍ର ସୋସିଆଲ୍ ମିଡିଆ ମନିଟରିଂ ସେଲ୍‌ ସ୍ଥାପନ କରାଯାଇଛି। ଏହି ସେଲ୍‌ ଇତିମଧ୍ୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ୨୪୯ଟି ପୋଷ୍ଟ୍‌ ହଟାଇବା ଲାଗି ସଂପୃକ୍ତ ମିଡିଆ ଫ୍ଲାଟ୍‌ଫର୍ମକୁ ଟେକ୍‌ଡାଉନ୍‌ ନୋଟିସ୍‌ ଜାରି ସାରିଲାଣି ବୋଲି ପୁଲିସ କମିସନର ସଂଜୀବ ପଣ୍ଡା କହିଛନ୍ତି। ଏଥିମଧ୍ୟରେ ରହିଛି ଫେସ୍‌ବୁକ୍‌ର ୬୮, ଟ୍ବିଟର୍‌ର ୩୭ ଓ ଇନ୍‌ଷ୍ଟାଗ୍ରାମ୍‌ର ୧୪୪ଟି ଆପତ୍ତିଜନକ ପୋଷ୍ଟ। ସାଧାରଣ ଲୋକଙ୍କ ଆଡୁ ଆସିଥିବା ୪ଟି ପୋଷ୍ଟ ବିରୋଧରେ ଅଭିଯୋଗ ଆସିଥିବାବେଳେ ପୁଲିସ ନିଜଆଡୁ ୨୪୫ଟି ପୋଷ୍ଟକୁ ନିଜସ୍ବ ଯାଞ୍ଚ ଜରିଆରେ ଚିହ୍ନଟକରି ଏହି ନୋଟସ୍‌ ଜାରି କରିଛି।