‘ଜାତୀୟ ପୁରୁଷ କମିସନ’ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ

‘ଜାତୀୟ ପୁରୁଷ କମିସନ’ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି ଆଇନଜୀବୀ ମହେଶ କୁମାର ତିୱାରୀ । ୨୦୨୧ ଏନ୍‌ସିଆରବି ତଥ୍ୟ ଦର୍ଶାଇ ତିୱାରୀ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ଏହି ବର୍ଷ ଦେଶରେ ୧, ୬୪,୦୩୩ ଆତ୍ମହତ୍ୟା ହୋଇଥିଲା। ଏଥିମଧ୍ୟରୁ ୮୧,୦୬୩ ଜଣ ବିବାହିତ ପୁରୁଷ ଆତ୍ମହତ୍ୟା କରିଥିଲେ। ୨୮,୬୮୦ ମହିଳା ଆତ୍ମହତ୍ୟା କରିଥିଲେ। ପ୍ରାୟ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ପାଇଁ ଜୀବନ ହରାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବିବାହ ଜନିତ ସମସ୍ୟା ପାଇଁ ୪.୮ ପ୍ରତିଶତ ଆତ୍ମହତ୍ୟା କରିଥିଲେ।ତେବେ ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଏନ୍‌ଏଚ୍‌ଆରସି ତଥା ଜାତୀୟ ମାନବାଧିକାର କମିସନ୍‌ କିଛି ପଦକ୍ଷେପ ଗ୍ରହଣ କରିବା ପାଇଁ ଆବେଦନ‌ରେ ଦର୍ଶାଯାଇଛି। ଘରୋଇ ହିଂସାର ଶିକାର ହେଉଥିବା ପୁରୁଷଙ୍କ ଅଭିଯୋଗ ରଖିବା ପାଇଁ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମାବଳୀ ଆଣିବାପାଇଁ ଆବେଦନରେ ଦର୍ଶାଯାଇଛି। ପ୍ରତି ଜିଲ୍ଲାରେ ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତ କରିବାପାଇଁ ଆବେଦନ କରାଯାଇଛି ।