ହିଂସାପ୍ରବଣ ଅଞ୍ଚଳ ବୁଲିଲେ ଅମିତ ଶାହ

ଇମ୍ଫାଲ :  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ହିଂସା ପ୍ରବଣ ମଣିପୁରରେ ସୁରକ୍ଷା ସ୍ଥିତି ସମୀକ୍ଷା କରୁଛନ୍ତି। ୪ ଦିନିଆ ମଣିପୁର ଗସ୍ତ‌ରେ ଥିବା ଶାହ  ହିଂସାଗ୍ରସ୍ତ ଅଂଚଳ ଚୁରାଚାନ୍ଦପୁର ଜିଲ୍ଲା ବୁଲିଛନ୍ତି। ଏଠାରେ ଆଦିବାସୀ ମହିଳାମାନେ ଜାତୀୟ ପତାକା ଧରି ଶାହଙ୍କୁ ସ୍ବାଗତ କରିଥିଲେ। ‘କେବଳ କେନ୍ଦ୍ର ସରକାର ହିଁ ସବୁ ସମସ୍ୟାର ସମାଧାନ କରିପାରିବେ’ ଲେଖାଥିବା ପୋଷ୍ଟର ଧରି ସେମାନେ ଶାହଙ୍କୁ ସ୍ବାଗତ କରିଥିଲେ। ଶାହ ଆଜି ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଏବଂ ଅନ୍ୟ ବରି‌ଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରି ହିଂସା ନିୟନ୍ତ୍ରଣ ପାଇଁ କଠୋର ରଣନୀତି କାର୍ଯ୍ୟକାରୀ କରିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଏକ ସର୍ବଦଳୀୟ ବୈଠକ କରିବା ସହ ବିଭିନ୍ତ ଅନୁଷ୍ଠାନର ପ୍ରତିନିଧିଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ, ଗୁଇନ୍ଦା ଏବଂ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା ପରେ ଶାହ କହିଛନ୍ତି ଯେ ଶାନ୍ତି ଫେରିବା ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।