ଲୋକସଭାରେ ଶପଥନେଲେ ୧୮ ଓଡ଼ିଆ ସାଂସଦ
ଲୋକସଭାରେ ପ୍ରଥମଥର ପାଇଁ ଓଡ଼ିଶାର ସାଂସଦମାନେ ଶପଥ ଗ୍ରହଣ କରିବା ସମୟରେ ‘ଜୟ ଜଗନ୍ନାଥ’ ଧ୍ବନିରେ କମ୍ପିଥିଲା। ଆଜି ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି, ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରିଥିଲେ। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଇଂରାଜୀରେ ଶପଥ ପାଠ କରିଥିଲେ । ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ସାନ୍ତାଳୀ ଭାଷାରେ ଓ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିଲେ।ଓଡ଼ିଶାର ସାଂସଦମାନଙ୍କ ଦ୍ବାରା ଶପଥପାଠ ଶେଷରେ ଜୟ ଜଗନ୍ନାଥ, ଜୟ ଲିଙ୍ଗରାଜ, ଜୟ ମା’ ମାଣିକେଶ୍ବରୀ, ଜୟ ସମଲେଶ୍ବରୀ, ଭାରତ ମାତା କି ଜୟ, ଜୟ ଓଡ଼ିଶା, ବନ୍ଦେ ଉତ୍କଳ ଜନନୀ, ମା’ ମାଣିକେଶ୍ବରୀ ଭଳି ସ୍ଲୋଗାନ ଦିଆଯାଇଥିଲା। ପୁରୀ ସାଂସଦ ଡ. ପାତ୍ର ଖାଲି ପାଦରେ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଖଣ୍ଡୁଆ ପାଟ ପିନ୍ଧି ଶପଥ ସ୍ଥଳରେ ପହଞ୍ଚିଥିଲେ। ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସାଂସଦ ଭାବେ ମଧ୍ୟ ଶପଥ ନେଇଥିଲେ।