ରାଜ୍ୟର ସବୁଠାରୁ ସ୍ପର୍ଶକାତର ନିର୍ବାଚନମଣ୍ଡଳୀଭାବେ ପରିଗଣିତ ପୁରୀ ଜିଲାର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ଚିତ୍ର ଏଥର ସମ୍ପୂର୍ଣ୍ଣ ଅଲଗା। ବିଜେଡିର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀକୁ ଏଥର ମଧ୍ୟ ବିଜେଡି ଦଖଲ କରିବା ପାଇଁ ପ୍ରୟାସ ଚଳାଇଛି। ପ୍ରଥମ ଥର ପାଇଁ ଏହି ନିର୍ବାଚନମଣ୍ଡଳୀକୁ ଦଖଲ କରିବା ପାଇଁ ବିଜେପି ଉଦ୍ୟମ ଜାରି ରଖିଥିବାବେଳେ ନିଜର ପୁରୁଣା ଗଡ଼କୁ ଫେରି ପାଇବା ପାଇଁ କଂଗ୍ରେସ ଏବେ ବଳ ଗୋଟାଇବାରେ ବ୍ୟସ୍ତ। ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଏଠାକାର ଉଭୟ ଦଳର ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ ଚିନ୍ତା ବଢ଼ିଯାଇଛି। ଯଦି ରାଜ୍ୟରେ ମେଣ୍ଟ ହୁଏ, ତେବେ କେଉଁ ଦଳ ଭାଗରେ ପିପିଲି ଆସନ ପଡ଼ିବ ଓ କିଏ ଏଠାରେ ପ୍ରାର୍ଥୀ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି।ପିପିଲି ବ୍ଲକର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍ଏସିକୁ ନେଇ ଗଠିତ ପିପିଲି ନିର୍ବାଚନମଣ୍ଡଳୀ ସାଧାରଣବର୍ଗର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ। ଆସନ୍ତା ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କସରତ ଚଳାଇଛନ୍ତି। ଯଦି ମେଣ୍ଟ ନହୁଏ, ତେବେ ଏଥର ନିର୍ବାଚନରେ ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ହେବା ଏକପ୍ରକାର ନିଶ୍ଚିତ। ନିର୍ବାଚନ ଯେତିକି ପାଖେଇ ଆସୁଛି, ପିପିଲି-ଡେଲାଙ୍ଗରେ ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି। ପିପିଲିର ଦୁଇ ଟାଣୁଆ ନେତା ପ୍ରଦୀପ ମହାରଥୀ ଓ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ପରେ ଏଠାକାର ରାଜନୈତିକ ଚିତ୍ର ବଦଳି ଯାଇଛି, କିନ୍ତୁ ମଇଦାନରେ ଯୁବଗୋଷ୍ଠୀଙ୍କ ପ୍ରବେଶ ଏଠାକାର ରାଜନୀତିକୁ ନୂଆ ଦିଶା ଦେଖାଇଛି। ପିପିଲିରୁ ୭ଥର ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ୨୦୨୧ରେ ଅନୁଷ୍ଠିତ ଉପନିର୍ବାଚନରେ ସ୍ୱର୍ଗତ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ବିଜେଡିରୁ ପ୍ରାର୍ଥୀ ହୋଇ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ବୀ ତଥା ବିଜେପିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ହଜାର ୯୧୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ। ରୁଦ୍ରପ୍ରତାପଙ୍କୁ ଏଥର ଟିକଟ ମିଳିବା ସମ୍ଭାବନା ଅଧିକ । ତଥାପି ତାଙ୍କ ପାଇଁ ଏହି ନିର୍ବାଚନ ଏକ ଆହ୍ୱାନ ପାଲଟିଛି। ରୁଦ୍ରଙ୍କ ନେତୃତ୍ୱରେ ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ପିପିଲି ଓ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ସମେତ ୬ଟି ଯାକ ଜିଲା ପରିଷଦ ଜୋନ୍ରେ ବିଜେଡି ବାଜିମାତ୍ କରିଥିଲା। ତାଙ୍କ ନେତୃତ୍ୱରେ ୨୦୨୨ରେ ବିଜେଡି ପିପିଲି ପୌର ପରିଷଦକୁ ଦଖଲ କରିଥିବାବେଳେ ଉଭୟ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ବିଜେଡି ମହିଳାଙ୍କୁ ପ୍ରାଥମିକତା ଦେଉଥିବା ଯୋଗୁଁ ଏହି ଆସନରୁ ଟିକଟ ପାଇଁ ପୂର୍ବତନ ପୁରୀ ଜିଲା ପରିଷଦ ଉପାଧ୍ୟକ୍ଷା ତଥା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଓ ବିଧାୟକ ରୁଦ୍ରପ୍ରତାପଙ୍କ ମା’ ଶିକ୍ଷାବିତ ପ୍ରତିଭା ମହାରଥୀଙ୍କ କଥା ମଧ୍ୟ ଚର୍ଚ୍ଚା ହେଉଛି।୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ ୨୦୧୯ ନିର୍ବାଚନ ଓ ୨୦୨୧ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଆଶ୍ରିତ ପଟ୍ଟନାୟକ ଏହି ଆସନରେ ପରାଜିତ ହୋଇଥିଲେ ମଧ୍ୟ ସେ ବିଜେଡିକୁ ଏଠାରେ କଡ଼ା ଟକ୍କର ଦେଇଥିଲେ। ଶ୍ରୀ ପଟ୍ଟନାୟକ ପୂର୍ବରୁ କଂଗ୍ରେସରୁ ପିପିଲି ବ୍ଲକ ଅଧ୍ୟକ୍ଷ ଓ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବିଜେପିରେ ଯୋଗଦେବା ପରେ ପିପିଲି ଅଞ୍ଚଳରେ ଦଳୀୟ ସଂଗଠନ ସୁଦୃଢ଼ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଏବେ ସେ ପୁରୀ ଜିଲା ବିଜେପି ସଭାପତି ଦାୟିତ୍ୱରେ ଅଛନ୍ତି। ବିଜେପିରୁ ଟିକଟ ପାଇବାକୁ ସେ ପ୍ରମୁଖ ହକ୍ଦାର। ସେହିପରି ବିଜେପିରୁ ଟିକଟ୍ ପାଇବାକୁ ଅନ୍ୟ ଦୁଇ ଯୁବନେତା ରାଧାମୋହନ ଓ ସରୋଜ କୁମାର ପ୍ରଧାନ ଉଦ୍ୟମ ଜାରି ରଖିଥିବାବେଳେ ଉଭୟ ନିଜ ସଂଗଠନ ମଜ୍ଭୁତ କରିବାରେ ଲାଗିଛନ୍ତି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post