କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ମତଦାନ
ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବୁଧବାର ପ୍ରଥମ ପର୍ଯ୍ୟାୟରେ ୭ ଜିଲାର ୨୪ ଆସନରେ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରୁ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ।୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨୩,୨୭,୫୮୦ ଯୋଗ୍ୟ ଭୋଟର ମତଦାନ କରିବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧,୭୬,୪୬୨ ଜଣ ପୁରୁଷ, ୧୧,୫୧,୦୫୮ ଜଣ ମହିଳା ଏବଂ ୬୦ ଜଣ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି। ୧.୨୩ ଲକ୍ଷ ଭୋଟରଙ୍କ ବୟସ ୧୮ରୁ ୧୯ ବର୍ଷ ହୋଇଥିବାବେଳେ ୨୮,୩୦୯ ଜଣ ଭିନ୍ନକ୍ଷମ ଏବଂ ୧୫,୭୭୪ ଜଣ ଭୋଟରଙ୍କ ବୟସ ୮୫ ବର୍ଷରୁ ଊର୍ଦ୍ଧ୍ୱ। ମତଦାନ ପାଇଁ ୩,୨୭୬ଟି ଭୋଟକେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ୧୪,୦୦୦ ପୋଲିଂ କର୍ମଚାରୀ ଏଥିରେ ନିୟୋଜିତ ରହିବେ। ସେଥିରୁ ୩୦୨ଟି ବୁଥ୍ ସହରାଞ୍ଚଳରେ ହୋଇଥିବାବେଳେ ୨,୯୭୪ଟି ଗ୍ରାମାଞ୍ଚଳରେ ରହିଛି।ପ୍ରଥମ ପର୍ଯ୍ୟାୟ ମତଦାନକୁ ମୁକ୍ତ ଓ ଅବାଧ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସର୍ବାଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍କୁ ଆସି ସେମାନଙ୍କର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯାଇଥିବା କଶ୍ମୀର ଜୋନ୍ ପୋଲିସ ଆଇଜି ଭି.କେ. ବିର୍ଦି କହିଛନ୍ତି। ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବଳ (ସିଏପିଏଫ୍), ଜମ୍ମୁ-କଶ୍ମୀର ସଶସ୍ତ୍ର ପୋଲିସ ଏବଂ ରାଜ୍ୟ ପୋଲିସଙ୍କୁ ନିୟୋଜିତ କରାଯାଇଛି।