ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ
ମେଟ୍ରୋ ଟିଭି ଓଡିଶା,୧୮/୧: ଭାରତର ସ୍ୱାଧୀନତା ଦିବସ ହେଉ କିମ୍ବା ସାଧାରଣତନ୍ତ୍ର ଦିବସ , ଏହି ସମୟରେ ଆତଙ୍କବାଦୀ ମାନେ କିଛି ବିଶୃଙ୍ଖଳା ସୃଷ୍ଟି କରିବା ଲକ୍ଷ୍ୟରେ ରହିଥାନ୍ତି । ଚଳିତବର୍ଷ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତଙ୍କୁ ଆତଙ୍କବାଦୀ ମାନେ ଟାର୍ଗେଟ କରିଥିବାରୁ ଗୁଇନ୍ଧା ବିଭାଗ ଚଳ ଚଞ୍ଚଳ ହୋଇଉଠୁଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ବିପଦ ଥିବାରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ଯୋଗଦେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ ୯ ପୃଷ୍ଠାର ରିପୋର୍ଟ ଜାରି ହୋଇଛି। ସାଧାରଣତନ୍ତ୍ର ଦିବସରେ କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ଆଦି ପାଞ୍ଚଟି ମଧ୍ୟ ଏସୀୟ ଦେଶର ନେତା ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହେବେ। ଗୁପ୍ତ ସୂଚନାରେ କୁହାଯାଇଛି ଯେ ଏହି ଷଡ଼ଯନ୍ତ୍ରରେ ପାକିସ୍ତାନ/ଆଫଗାନିସ୍ତାନ-ପାକିସ୍ତାନ ବାହାରର ଆତଙ୍କବାଦୀ ସଂଗଠନର ଅନ୍ତର୍ଭୁକ୍ତି ରହିଛି। ବଡ ବ୍ୟକ୍ତିତ୍ୱଙ୍କୁ ଟାର୍ଗେଟ କରିବା, ଜନସମାବେଶ, ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ତଥା ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବା ହେଉଛି ଆତଙ୍କବାଦୀ ସଂଗଠନର ଉଦ୍ଦେଶ୍ୟ। ଡ୍ରୋନ ସହିତ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରାଯାଇପାରେ ବୋଲି ଏହି ଇନପୁଟରେ କୁହାଯାଇଛି । ଆତଙ୍କବାଦୀ ଷଡ଼ଯନ୍ତ୍ର ପଛରେ ଲଶ୍କର-ଇ-ତୋଏବା, ଦ ରେଜିଷ୍ଟାନ୍ସ ଫୋର୍ସ, ଜୈଶ-ଇ-ମହମ୍ମଦ, ହରକତ-ଉଲ-ମୁଜାହିଦ୍ଦିନ ଏବଂ ହିଜବ-ଉଲ-ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ରହିଛି।