ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ,୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ

ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆସନ୍ତାକାଲି ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ କୌଣସି ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ନାହିଁ, ହିଂସାକାଣ୍ଡକୁ ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ୍ ଡିଜି ଅରୁଣ ଷଡଙ୍ଗୀ । ତାଙ୍କ କହିବା ମୁତାବକ, ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ମାଓବାଦୀ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । ଏଥର ୧୦ ହଜାର ୮୮୨ ଟି ବୁଥ୍ ଅଛି। ଏହା ଭିତରେ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ । ୩୬ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୮୬ ପ୍ଲାଟୁନ ଓଡିଶା ଆର୍ମ ପୋଲିସ ରହିବେ । ବୁଥ ତଦାରଖ ପାଇଁ ୮୪୩ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି ।ଅନ୍ୟପଟେ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏସଡିପିଓ ଓ ଡିଏସପି ଦାୟିତ୍ୱରେ ରହିବେ । ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ସୀମାରେ ଥିବା ୨୧ ଟି ବର୍ଡର ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୫ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୨୫୫ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି ।