ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ:ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି. ସେନଥିଲ୍‌ ବାଲାଜୀଙ୍କୁ ବାନ୍ଧିଲା ଇଡି। କ୍ୟାସ୍‌ ଫର ଜବ୍‌ ସ୍କାମରେ ଭି. ସେନଥିଲ୍‌ଙ୍କୁ ଇଡି ଗତକାଲି ବାନ୍ଧିବା ପରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ହଠାତ୍‌ ଛାତି ଯନ୍ତ୍ରଣା ଅଭିଯୋଗ କରିବା ସହ ମନ୍ତ୍ରୀ ଗାଡ଼ିରେ କାନ୍ଦି କାନ୍ଦି ଗଡ଼ିଗଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଗତକାଲି ଇଡି ସେନଥିଲ୍‌ ବାଲାଜୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ମନ୍ତ୍ରୀ ନିଜ ବାସଭବନରେ ଉପସ୍ଥିତ ଥିଲେ। ଅପରାହ୍ନରେ ଗିରଫଦାରୀ ହେବା ନିଶ୍ଚିତ ନେଇ ମନ୍ତ୍ରୀ ଆଭାସ ପାଇବା ପରେ ଛାତି ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଚେନ୍ନାଇର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ହସ୍ପିଟାଲ ପରିସରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ସେ କାର୍‌ରେ ଥିବା ବେଳେ ଯନ୍ତ୍ରଣାରେ କାନ୍ଦି ଗଡ଼ି ଯାଇଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମତୟନ କରାଯାଇଛି।