ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମ କୋର୍ଟ । ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ହୋଇଥିବା ମାମଲାକୁ ନେଇ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ସବୁ ମାମଲାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କୁ ଗିରଫ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଗିରଫଦାରିରୁ ସୁରକ୍ଷା ଓ ସବୁ ଏଫଆଇଆରକୁ ଦିଲ୍ଲୀକୁ ଆଣିବାକୁ ସେ ଆବେଦନ କରିଥିଲେ ।ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ନୂପୁରଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିବା ରାଜ୍ୟଗୁଡ଼ିକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଅଗଷ୍ଟ ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Supreme Court directs no coercive action should be taken against Nupur Sharma.
ଗତମାସରେ ନୂପୁର କରିଥିବା ଏକ ସମାନ ପ୍ରକାରର ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ।ସୂଚନାଯୋଗ୍ୟ ଯେ ଗତ ମେ ମାସରେ ଏକ ଟିଭି ବିତର୍କରେ ଯୋଗ ଦେବାବେଳେ ନୂପୁର କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।