ଯୁବକଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟି ଦେଲେ ରାହୁଲ ଗାନ୍ଧୀ
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ଓ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ରହିଛି । ଯୁବକ ଯୁବତୀମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଭୋଟ ଲୁଟି ନିଆଯାଇଛି।କେନ୍ଦ୍ର ସରକାରରେ ଖାଲି ପଡ଼ିଥିବା ୧୦ଲକ୍ଷ ପଦବୀ ଏବଂ ଓଡ଼ିଶା ସରକାରଙ୍କର ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପକୋଡ଼ା ନିଯୁକ୍ତି ପ୍ରସଙ୍ଗ ଏ ଦେଶର ବେକାରୀ ଯୁବକଯୁବତୀ ମାନଙ୍କ ପାଇଁ ଏକ ଉପହାସ । କରୋନା ସମୟରେ ଯେଉଁ ଉତ୍କଟ ବେକାରୀ ଦେଖାଦେଇଥିଲା ଏବଂ ଯେଉଁଭଳି ଭାବରେ ବେକାରୀ ଯୁବକ ଯୁବତୀମାନେ ରୋଜଗାର ହରାଇଥିଲେ ତାହାର ସେ ସମସ୍ୟାର ସମାଧାନ ଉଭୟ ମୋଦୀ ଓ ନବୀନ ସରକାର ଏପର୍ଯ୍ୟନ୍ତ କଲେ ନାହିଁ । ଏହି ଅବସରରେ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମ ଘୋଷଣା ଅଗଣିତ ବେକାର ଯୁବକ ଯୁବତୀଙ୍କ ମନରେ ଆଶା ସଂଚାର କରିଛି ।କେନ୍ଦ୍ର ସରକାରରେ ୩୦ଲକ୍ଷ ପଦବୀ ସୃଷ୍ଟି ପାଇଁ “ଯୁବ ନ୍ୟାୟ” ଯୋଜନାରେ ଭରସା ପ୍ରଦାନ କରାଯାଇଛି। ଖାଲିପଡ଼ିଥିବା ୧୦ଲକ୍ଷ କେନ୍ଦ୍ର ସରକାରଙ୍କ ପଦବୀ ତୁରନ୍ତ ପୂରଣ ହେବ । ଶିକ୍ଷାନବୀଶ ଆଇନ ଅଧିକାରର ଗ୍ୟାରେଣ୍ଟି କଂଗ୍ରେସ ଦଳ ପ୍ରଦାନ କରିବ । ଏହି ଆଇନ ଅନୁସାରେ ପ୍ରତ୍ୟେକ ଶିକ୍ଷାନବୀଶ ଘରୋଇ ବା ସରକାରୀ ଉଦ୍ୟୋଗରେ ପ୍ରତ୍ୟେକ ଡିପ୍ଲୋମା ବା ସ୍ନାତୋକ ଡିଗ୍ରୀଧାରୀ ଯେଉଁମାନେ ୨୫ ବର୍ଷରୁ କମ ବୟସର ହୋଇଥିବେ ସେମାନଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ବା ମାସକୁ ୮୫୦୦ ଟଙ୍କା ପ୍ରଦାନ କରାଯିବାର ଗ୍ୟାରେଣ୍ଟି ଦିଆଯାଇଛି । କଂଗ୍ରେସ ଦଳ ପ୍ରଥମକରି ଶିକ୍ଷାନବୀଶଙ୍କର ଅଧିକାରକୁ ଆଇନରେ ପରିଣତ କରିବାକୁ ମାନ୍ୟତା ଦେଉଛି । ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଯୋଗାଇବା ଭରସା ମଧ୍ୟ ହେଉଛି ।