୧୨ ତାରିଖରେ ଓଡିଶା ଆସିବେ ମୋଦୀ, କରିବେ ରୋଡ ଶୋ’
୧୨ ତାରିଖରେ ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ କଟକ ଓ ଭୁବନେଶ୍ୱର ଟ୍ରାଫିକ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବ୍ରହ୍ମପୁର ଓ ଅନୁଗୁଳ ଏସପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି । ଜୟଦେବ ବିହାର ଛକରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ଼ ସୋ କରିବେ ମୋଦୀ । ଆସନ୍ତା ୧୨ ତାରିଖରେ ମୋଦୀଙ୍କ ସମେତ ଜନତା ମୈଦାନରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
୧୨ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମୈଦାନ ସୁରକ୍ଷାର ପ୍ରତିଟି ଦିଗ ଉପରେ କମିସନରେଟ୍ ନଜର ରଖିଛି। ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ୟ୍ୟନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଖୋଦ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ପ୍ରତିଦିନ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଘନ ଘନ ବୈଠକ କରିବା ସହ ସୁରକ୍ଷା ଦିଗ ଉପରେ ଆଲୋଚନା କରୁଛନ୍ତି।
ଏହି ଶପଥ ଗ୍ରହଣ ଉତ୍ସବରେ ୩୫ ହଜାର ଲୋକ ଯୋଗଦେବାର କାର୍ୟ୍ୟକ୍ରମ ରହିଥିବା ବେଳେ ଏଥିପାଇଁ ମାରାଥନ ମିଟିଂ ପୋଲିସ ସେବା ଭବନରେ ଚାଲିଛି ।ଏତେ ବଡ଼ ଆୟୋଜନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।