ମଧ୍ୟପ୍ରଦେଶ କଂଗ୍ରେସରେ ଘୋର ନୈରାଶ୍ୟ

ବିଜେପି ୟୁପି, ମହାରାଷ୍ଟ୍ର ଓ ରାଜସ୍ଥାନରେ ଝଟକା ପାଇଥାଇପାରେ, କିନ୍ତୁ ମୂଳ ଗୈରିକ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶରେ ଉତ୍ସବ ପାଳନ କରିବା ପାଇଁ ଦଳ ପାଖରେ ‘୨୯’ କାରଣ ଅଛି। ବିଜେପିର ‘୪୦୦ ପାର’ ସ୍ଲୋଗାନ ବିଫଳ ହୋଇଥିଲା, କିନ୍ତୁ ମଧ୍ୟପ୍ରଦେଶରେ ୨୯ରୁ ୨୯ ଆସନରେ ଜିତିଛି ବିଜେପି। ଏପରିକି କଂଗ୍ରେସର ଶେଷ ଗଡ଼ ଛିନ୍ଦୱାଡା ମଧ୍ୟ ଉଜୁଡ଼ିଯାଇଥିଲା। ଏହି ରାଜ୍ୟ ଆଗରୁ କେବେ ବି ବିଜେପି ପ୍ରତି ଏତେ ଶ୍ରଦ୍ଧା ଦେଖାଇ ନ ଥିଲା। ବିଜୟ ବ୍ୟବଧାନ ବି ଉଲ୍ଲେଖନୀୟ – ସର୍ବନିମ୍ନ ପ୍ରାୟ ୫୨,୫୦୦ (ମୋରେନା) ଏବଂ ସର୍ବୋଚ୍ଚ ୧୧.୭ ଲକ୍ଷ (ଇନ୍ଦୋର)। ଇନ୍ଦୋର ବି ଆଉ ଏକ ରେକର୍ଡ କରିଛି- ‘ନୋଟା’ ପାଇଁ ୨.୧୮ ଲକ୍ଷ ଭୋଟ୍ ପଡ଼ିଛି। ଇନ୍ଦୋର ପାଇଁ ଦ୍ବିତୀୟ ଚଏସ୍ (ପସନ୍ଦ) ଥିଲା ‘ନୋ ଚଏସ୍’, ଯେଉଁଥିରେ ୧୪% ଭୋଟ୍ ପଡ଼ିଥିଲା। ପଛ ବେଞ୍ଚରୁ ସିଧାସଳଖ ରାଜ୍ୟର ଶୀର୍ଷ ପଦବୀକୁ ଉନ୍ନୀତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କ୍ଲିନ୍ ସୁଇପ୍ ମନୋବଳ ବଢ଼ାଇବା ଭଳି। ବୁଧବାର ସକାଳେ ସେ ଦଳର ସମସ୍ତ ୨୯ ଜଣ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ନେଇଯିବେ।ତେବେ ସମଗ୍ର ଏମ୍‌ପିରେ ବିଜେପି କର୍ମୀମାନେ ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ କାର୍ଯ୍ୟାଳୟରେ ନୀରବତା ଦେଖିବାକୁ ମିଳିଛି। ଏମ୍‌ପିରେ କଂଗ୍ରେସ ପୂର୍ବରୁ କେବେ ବି ଶୂନରେ ସୀମିତ ହୋଇ ନ ଥିଲା। ଏହାର ସବୁ ବଡ଼ ନେତା ପରାସ୍ତ ହୋଇଛନ୍ତି। ୨୦୨୪ରେ ନିର୍ବାଚନ ଲଢ଼ିବାକୁ ଚାହୁ ନ ଥିବା ଦିଗ୍‌ବିଜୟ ସିଂହ ୨୦୧୯ରେ ଭୋପାଳ ଓ ୨୦୨୪ରେ ରାଜଗଡ଼ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ପରାଜୟର ସମ୍ମୁଖୀନ ହୋଇଛନ୍ତି।