ଜୟରାମ ରମେଶଙ୍କ ଟ୍ୱିଟକୁ କଂଗ୍ରେସ ନେତାଙ୍କ ନାପସନ୍ଦ

ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍‌’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ‌ଔପଚାରିକ ଭାବେ ଘୋଷଣା କରାଯାଇଥିଲା। ଗାନ୍ଧୀ ଶାନ୍ତି ପୁରସ୍କାର ହେଉଛି ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବାର୍ଷିକ ପୁରସ୍କାର | ତାଙ୍କ ଆଦର୍ଶ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଅବସରରେ ୧୯୯୫ ମସିହାରୁ ଏହି ପୁରସ୍କାର ଦିଆଯାଇଆସୁଛି । କିନ୍ତୁ ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ ନିଷ୍ପତ୍ତିକୁ କଂଗ୍ରେସ ନେତା ଜୟରାମ ରମେଶ ସମାଲୋଚନା କରିଥିଲେ। ଟୁଇଟ୍‌ କରି ସେ ଲେଖିଥିଲେ, ଚଳିତ ବର୍ଷ ଶତବାର୍ଷିକୀ ପାଳନ କରୁଥିବା ଗୀତା ପ୍ରେସ୍‌କୁ ଏହି ପୁରସ୍କାର ପ୍ରଦାନ ସାବର୍‌କର ଓ ଗଡ୍‌ସେଙ୍କୁ ପୁରସ୍କୃତ କରିବା ପରି କଥା ହେବ। ୨୦୧୫ରେ ପ୍ରକାଶିତ ସାମ୍ବାଦିକ ଅକ୍ଷୟ ମୁକୁଳଙ୍କଦ୍ବାରା ଲିଖିତ ଏହି ପ୍ରତିଷ୍ଠାନ ସଂକ୍ରାନ୍ତ ପୁସ୍ତକ ‘ଗୀତା ପ୍ରେସ୍‌ ଓ ହିନ୍ଦୁ ଭାରତ ନିର୍ମାଣ’ ପ୍ରସଙ୍ଗ ଉଲ୍ଲେଖ କରି ସେ କହିଥିଲେ, ଏହି ପୁସ୍ତକରେ ମହାତ୍ମାଙ୍କ ସହିତ ଗୀତା ପ୍ରେସ୍‌ର ସୁସମ୍ପର୍କ ନ ଥିବା କଥା କୁହାଯାଇଛି।