କଂଗ୍ରେସ ନିଷ୍ପତ୍ତି ନେଇପାରୁନି: ପ୍ରାର୍ଥୀ ଚୟନ ହେଉନି, ଦ୍ବନ୍ଦ୍ବରେ କର୍ମୀ

ବିଜେଡି ଓ ବିଜେପି ଭୁବନେଶ୍ବର ଲୋକସଭା କ୍ଷେତ୍ର ସମେତ ଅର୍ଧାଧିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ପ୍ରାର୍ଥୀମାନେ ମଧ୍ୟ ଦଳବଳ ସହ ମଇଦାନକୁ ଓହ୍ଲାଇଲେଣି। କିଏ ସକାଳୁ ପାର୍କ ବୁଲୁଛନ୍ତି ତ ଆଉ କିଏ କର୍ମୀ ସମ୍ମିଳନୀ ମାଧ୍ୟମରେ ସଙ୍ଗଠନକୁ ସଜାଡ଼ୁଛନ୍ତି। କେହି କେହି ଗଳିକନ୍ଦି ବୁଲି ପ୍ରଚାର ଆରମ୍ଭ କଲେଣି। ଉଭୟ ଦଳ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଆଗରେ ଥିବା ବେଳେ କଂଗ୍ରେସ ପଛରେ ପଡ଼ିଛି। କୌଣସି ଆସନ ପାଇଁ ଜଣେ ବି ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବାରୁ କର୍ମୀମାନେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।
ଚିନ୍ତାର କାରଣ ହେଉଛି ଯେ ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ବର ଲୋକ‌ସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ କିଏ ହେବ? ହାତରେ ଆଉ କମ୍‌ ସମୟ ରହିଥିଲେ ମଧ୍ୟ ପ୍ରାର୍ଥୀ ଚୟନ ହୋଇପାରି ନ ଥିବାରୁ କର୍ମୀଙ୍କଠାରେ ହତାଶା ଭାବ ପରିଲକ୍ଷିତ ହୋଇଛି। ସେମାନେ ଏବେ ପ୍ରଶ୍ନ କଲେଣି ୨୦୧୯ ପରି ଏଥର ମଧ୍ୟ କଂଗ୍ରେସ ଭୁବନେଶ୍ବରରେ ଅନ୍ୟ ଦଳ ପ୍ରାର୍ଥୀକୁ ସମର୍ଥନ ଜଣାଇବ ନାହିଁ ତ! ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ କେ‌ଉଁମାନେ ପ୍ରାର୍ଥୀ ହେବେ?

ଦଳ ଏବେ ଯେଉଁଭଳି ସ୍ଥିତିରେ ରହିଛି ରାତିଅଧିଆ ପ୍ରାର୍ଥୀ ଘୋଷଣା କଲେ ଲୋକେ ଗ୍ରହଣ କରିବେ ତ? ନା ପୂର୍ବ ନିର୍ବାଚନଗୁଡ଼ିକ ପରି ଏଥର ମଧ୍ୟ କଂଗ୍ରେସ ଚିତ୍‌ପଟାଙ୍ଗ ମାରିବ? ୨୦୧୯ ନିର୍ବାଚନରେ କଂଗ୍ରେସ ଜଟଣୀରେ ବିଜୟ ବାନା ଉଡ଼ାଇଥିବା ବେଳେ ଅନ୍ୟ ସବୁଠି ମାଟି କାମୁଡ଼ି ପଡ଼ିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଭୁବନେଶ୍ବର ଏକାମ୍ର, ମଧ୍ୟ ଓ ଉତ୍ତରରେ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ଯଥାକ୍ରମେ ୬୭୮୦, ୨୭୪୬ ଓ ୫୧୮୯ ରହିଥିଲା। ଏଥର ଯେଉଁଭଳି ସ୍ଥିତି ହେଲାଣି, ଶେଷ ମୂହୁର୍ତ୍ତରେ ପ୍ରାର୍ଥୀ ଘୋଷଣା କଲେ ଦଳ ସେତିକି ଭୋଟ ପାଇବ କି ନାହିଁ ତାହା ସନ୍ଦେହରେ। ଇତିମଧ୍ୟରେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ନିଜ ପୁଅ ତଥା ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେଣି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୁବନେଶ୍ବରରେ ପ୍ରଚାର କରିବେ ନାହିଁ ବୋଲି ଖୋଲାଖୋଲି ଭାବେ କହି ସାରିଛନ୍ତି। ତେଣୁ ସେଠାରେ ଏଥର ନୂଆ ମୁହଁ ଦେଖିବାକୁ ମିଳିବ। ତେବେ କିଏ କଂଗ୍ରେସ ପ୍ରାର୍ଥୀ ହେବ ତାହାକୁ ନେଇ ଦୁଇ ଦିନ ହେଲା କଂଗ୍ରେସ ଭବନରେ ଯେଉଁଭଳି ତମ୍ବିତୋଫାନ ଚାଲିଛି ଆଗକୁ ଭୟଙ୍କର ରୂପ ନେବା ଥୟ। ଭୁବନେଶ୍ବରର ତିନିଟି ଯାକ ନିର୍ବାଚନମଣ୍ଡଳୀରେ ୨୦୧୯ର କଂଗ୍ରେସ ପ୍ରାର୍ଥୀ ବଦଳିବେ। ତେବେ କେଉଁମାନେ ପ୍ରାର୍ଥୀ ହେବେ ତାହା ଏବେ ବି ଅନ୍ଧାରରେ। ଜଣେ ଦୁଇ ଜଣ କଂଗ୍ରେସ ନେତା ୩ଟି ଯାକ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ କରିବା ସହ ଟିକେଟ୍‌ ଦୌଡ଼‌ରେ ରହିଛନ୍ତି। ସେଭଳି ଆଖିଦୃଶିଆ ନେତା ଟିକେଟ୍‌ ପାଇଁ ଲବି ମଧ୍ୟ କରୁନାହାନ୍ତି।

ଜୟଦେବ ନିର୍ବାଚନମଣ୍ଡଳୀରେ କିଏ ପ୍ରାର୍ଥୀ ହେବ ତାହାର ଚିତ୍ର ସ୍ପଷ୍ଟ ନାହିଁ। କାରଣ ୨୦୧୯ରେ ଲଢ଼େଇ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ମଇଦାନରୁ ବାହାରି ଯାଇଥିଲେ। ପ୍ରାର୍ଥିପତ୍ର ଯାଞ୍ଚ ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଥିବାରୁ ଲଢ଼ିପାରି ନ ଥିଲେ। ଏଥରକ ଦଳ ସେଠାରେ ନୂଆମୁହଁଙ୍କୁ ସାମ୍ନାକୁ ଆଣିବ। ଖୋର୍ଦ୍ଧା ଓ ବେଗୁନିଆରେ ମଧ୍ୟ କଂଗ୍ରେସ ନୂଆ ପ୍ରାର୍ଥୀ ଦେବା ନେଇ ଦଳ ନିଷ୍ପତ୍ତି ନେଇଛି।