ମେଟ୍ରୋ ଟିଭି ଓଡିଶା (୧୧ .୩ . ୨୦୨୨) :
ବାଜି ମାରିନେଲା ବିଜେପି । ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି । ଜିତିଥିବା ୪ ରାଜ୍ୟ ମଧ୍ୟରୁ ବିଜେପି ଉତ୍ତରପ୍ରଦେଶରେ ବିପୁଳ ଜନ ସମର୍ଥ ହାସଲ କରିଛି । ହିମାଳୟ ରାଜ୍ୟ ଉତ୍ତରାଖଣ୍ଡରେ ବିଜେପି ପୁନର୍ବାର ତୃତୀୟଥର ସରକାର ଗଠନ କରିବାକୁ ଜନାଦେଶ ହାସଲ କରିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାଜିତ ହୋଇଥିଲେ ବିଜେପି ତା’ର ପ୍ରମୁଖ ପ୍ରତିଦ୍ୱନ୍ଦୀ କଂଗ୍ରେସକୁ ପୁନର୍ବାର ବିରୋଧୀ ଆସନରେ ବସାଇବାକୁ ସମର୍ଥ ହୋଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଯାଦୁ ସହ ବିଜେପି ବହୁମତ ହାସଲ କରି କ୍ଷମତାକୁ ଫେରିଛି। ସେହିଭଳି ପ୍ରତି ୫ ବର୍ଷରେ ଶାସନ ବଦଳାଉଥିବା ୪୦ ଆସନ ବିଶିଷ୍ଟ ଛୋଟିଆ ରାଜ୍ୟ ଗୋଆରେ କ୍ରମାଗତ ତୃତୀୟ ଥର ବିଜେପି ତା’ର ଦବ୍ଦବା ବଜାୟ ରଖିଛି। ଏଠାରେ ୨୦ଟି ଆସନ ସହ ବିଜେପି ବୃହତ୍ ଦଳ ଭାବେ ଉଭା ହୋଇ ଗୋଟିଏ ସ୍ଵାଧୀନ ସଦସ୍ୟଙ୍କ ସହଯୋଗରେ ସରକାର ଗଠନ କରିବାକୁ ଯାଉଛି। ରାଜ୍ୟ ଗୁଡିକର ନିର୍ବାଚନ ଫଳାଫଳକୁ ଅନୁଶୀଳନ କଲେ ବିଜେପି ପାଇଁ ଉତ୍ତରପ୍ରଦେଶ ଏକପ୍ରକାର ଏସିଡ୍ ଟେଷ୍ଟ ରହିଥିଲା।

ଉତ୍ତରପ୍ରଦେଶ ଦେଇ ଦିଲ୍ଲୀ କ୍ଷମତା ଦଖଲ ରାସ୍ତା ଥିବାରୁ ୪୦୩ ଆସନ ବିଶିଷ୍ଟ ଏହି ରାଜ୍ୟର ଜନାଦେଶ ହିଁ ଆଗାମୀ ରାଜନୀତିକ ସମୀକରଣକୁ ଓଲଟପାଲଟା କରିବା ସମ୍ଭାବନା ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ବାରାଣସୀ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହି ନିର୍ବାଚନ ଅଗ୍ନିପରୀକ୍ଷା ସମାନ ରହିଥିଲା। ସେହିଭଳି ସୀମାନ୍ତ ରାଜ୍ୟ ପଞ୍ଜାବରେ ନିର୍ବାଚନ ଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ରହିଛି। ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଓ ଅକାଳୀ ଦଳର କବ୍ଜାରେ ରହିଆସିଥିବା ପଞ୍ଜାବରେ ଏଥର ଆମ୍ ଆଦ୍ମୀ ପାର୍ଟି ତା’ର ଦ୍ୱିତୀୟ ପ୍ରବେଶରେ ବିରାଟ ବିଜୟ ହାସଲ କରିଛି। କଂଗ୍ରେସକୁ ଧରାଶାୟୀ କରିବା ସହିତ ଅକାଳୀ ଦଳର ପତ୍ତା କାଟି ଦେଇଛି। ଦଳ ଏଠାରେ ମାତ୍ର ୧୮ଟି ଆସନ ପାଇଛି। କ୍ରମାଗତ ଶାସନ କ୍ଷମତାରେ ଥିବା କଂଗ୍ରେସକୁ ଏଥର ୫୯ ଆସନ କ୍ଷତି ସହିବାକୁ ପଡିଛି। କ୍ୟାପ୍ଟେନ୍ଙ୍କ ଦଳରୁ ନିଷ୍କାସନ ଓ ଚନ୍ନି-ସିଦ୍ଧୁଙ୍କ କ୍ଷମତା ବୃଦ୍ଧି ଦଳରେ ବିଘଟନ ଘଟାଇଥିଲା।

ଏପରିକି କୃଷି ଆଇନକୁ ନେଇ ଏନଡିଏରୁ ଅକାଳୀ ଅଲଗା ହେବା ମଧ୍ୟ ତା’ ପାଇଁ ମହଙ୍ଗା ପଡିଛି। କଂଗ୍ରେସ ଓ ଅକାଳୀରେ ବିଭାଜନ ଓ ବିଜେପି ଏଠାରେ ନିଜକୁ ସଶକ୍ତ ନ କରିବାର ଫାଇଦା ଆପ୍ ଉଠାଇଛି। ଏପରିକି ବିଜେପିକୁ ମଧ୍ୟ ମାତ୍ର ଦୁଇଟି ଆସନରେ ସୀମୀତ ରଖିଛି। ଆପ୍ କେବଳ ଏଠି ରେକର୍ଡ ଆସନ ହାସଲ କରିନି, ବରଂ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣ ସିଂହ ଚନ୍ନି, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଏବଂ କଂଗ୍ରେସ ରାଜ୍ୟ ସଭାପତି ନବଜୋତ୍ ସିଂହ ସିଦ୍ଧୁଙ୍କ ଭଳି ବଡ଼ ବଡ଼ ରାଜନୈତିକ ହସ୍ତୀଙ୍କୁ ମଧ୍ୟ ନିର୍ବାଚନ ମଇଦାନରେ ଧୂଳି ଚଟାଇଛି। ଖୋଦ୍ ଚନ୍ନି ଦୁଇ ଦୁଇଟି ଆସନରେ ପରାଜିତ ହୋଇଛନ୍ତି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ୍ ଏକାକୀ ୯୨ ଆସନରେ ଆଗୁଆ ରହିଛି।