ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବର୍ଷିଲା ବିଜେପି

ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବର୍ଷିଲା ବିଜେପି । ଓଡ଼ିଶାର ଚାଷୀ ୫ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ରାଜ୍ୟର ମାତ୍ର ୧୭ ଭାଗ ଜମିରେ ଜଳସେଚନ ହୋଇଛି । ୩ ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲା । ୨୦୧୪ରେ ୧୦ ଲକ୍ଷ ହେକ୍ଟର ଜଳସେଚନ ହେବ ବୋଲି କହିଲେ । ୨୦୧୯ରେ କହିଥିଲେ ୩୫ ପ୍ରତିଶତ ଜମିଜଳ ସେଚନ ହେବ । ହେଲେ ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ ବୋଲି କହି ଆଜି ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ, ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି କହିଥିଲେ, କିନ୍ତୁ ମାତ୍ର ୪୪ ଲକ୍ଷ ଚାଷୀଙ୍କୁ ଦେଲେ । ସବୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବନ୍ଦ ହୋଇଗଲା । ନକଲି ଚାଷୀ ମାନଙ୍କ ଦ୍ଵାରା କୋଟି କୋଟି ଟଙ୍କା ହେରଫେର ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଧାନ କିଣା ହେଲା ବେଳେ ୧୨ କିଲୋରୁ ଅଧିକ କଟନୀ ଛଟନୀ କରାଯାଉଛି । ଧାନ ଏବଂ ଅନ୍ୟ ଫସଲ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉନାହିଁ । ଦଲାଲ ଏବଂ ମିଲର ମାନଙ୍କ ଦ୍ଵାରା ଶୋଷଣର ଶିକାର ହେଉଛି ଚାଷୀ । ଧାନ କିଣାରେ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛି ବିଜେପି । ସିଏଜି ବାରମ୍ବାର ଧାନ କିଣାର ଅନିୟମିତତା ଧରିଛନ୍ତି । ଓଡ଼ିଶାରେ ସୂତା କଳ ଓ ଚିନି କଳ ବନ୍ଦ କରିଦେଇଛନ୍ତି ସରକାର । ଚାଷୀମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି । ବିଜେଡ଼ି ସରକାର ସଙ୍କଟ ଦେଇ ଗତି କରିଛି । ନେତୃତ୍ୱ ଅଭାବ, ଇଚ୍ଛା ଶକ୍ତିର ଅଭାବ, ସ୍ପଷ୍ଟତା ଓ ଗଣତନ୍ତ୍ରର ଅଭାବ ବୋଲି କହିବା ସହ ସରକାର ସବୁ ଦୃଷ୍ଟିରୁ ବିଫଳ ବୋଲି ସେ କହିଛନ୍ତି ।