ଥାନାରେ ପହଞ୍ଚିଲା ବିଜେଡି କଳି

ଅଶୋକ ପଣ୍ଡା, ରାକେଶ ପାତ୍ରଙ୍କ ନାଁରେ ଏୟାରଫିଲ୍ଡ ଥାନାରେ ଫେରାଦ

ଭୁବନେଶ୍ବର: ଭୁବନେଶ୍ବର ବିଜେଡି ବିବାଦ ବଢ଼ିବାରେ ଲାଗିଛି । ଦଳ ସରକାରରୁ ଯିବାପରେ ନେତାନେତାଙ୍କ ମଧ୍ୟରେ ଆଉ ପଡ଼ୁନାହିଁ । ପାଓ୍ବାର ଗଲା ପରେ ଏବେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପାଓ୍ବାର କନ୍ଦଳ ଦେଖାଯାଉଛି ।  ଦଳ ବିଦ୍ରୋହୀ କୁହାଯାଉଥିବା ବିଜେଡି କାଉନ୍‌ସିଲ୍‌ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଥାନାରେ ମାମଲା କରିଛନ୍ତି । ବିରଞ୍ଚି ମହାସୁପକାରଙ୍କ ସମର୍ଥକ ଅବିନାଶ ପାତ୍ର ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ରାକେଶ ପାତ୍ରଙ୍କ ନାଁରେ ଏୟାରଫିଲ୍ଡ ଥାନାରେ ଫେରାଦ ହୋଇଛନ୍ତି । ଅଶୋକ ପଣ୍ଡା, ରାକେଶ ପାତ୍ର  ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅବିନାଶ ।

ଗତକାଲି ଶଙ୍ଖ ଭବନରେ ଯେଉଁ ବିବାଦ ଦେଖାଦେଇଥିଲା ତାହା ପଛରେ ଅଶୋକ ପଣ୍ଡାଙ୍କ ନାମ ଉଠିବା ପରେ ଘଟଣା ଏବେ ଥାନାରେ  ପହଁଚିଛି । ଗତକାଲି ଶଙ୍ଖ ଭବନରେ ଅଶୋକ ପଣ୍ଡାଙ୍କ ଇଙ୍ଗିତରେ ହୋହଲ୍ଲା ହୋଇଥିଲା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ସେମାନେ ଦେଇଥିଲେ । ଶଙ୍ଖ ଭବନରେ ହୋଇଥିବା ଘଟଣାରେ ଜଣେ ବିଜେପି ସଦସ୍ୟ ରାଜେଶ ପାତ୍ରଙ୍କୁ ଆଣି ଅଶୋକ ଗଣ୍ଡଗୋଳ କରାଇଛନ୍ତି  ବୋଲି ଅଭିଯୋଗ ବିଜେଡି କାଉନ୍‌ସିଲ୍‌ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା କରିଥିଲେ । ଏନେଇ ସେମାନେ ସୁପ୍ରିମୋଙ୍କୁ ଅଭିଯୋଗ କରିବେ ବୋଲି କହିଥିଲେ ।

ବିଜେଡିର ବନ୍ଦ ଡାକରାକୁ ନେଇ ଗତ ୨୨ ତାରିଖରେ ଶଙ୍ଖ ଭବନରେ ବୈଠକ ଆୟୋଜିତ କରାଯାଇଥିଲା । ହେଲେ ବୈଠକ ବେଳେ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କର୍ପୋରେଟରମାନେ ତୀବ୍ର ବିରୋଧ କରିଥିଲେ। ଦଳ ବିରୋଧରେ କାମ କରୁଥିବା ଅଭିଯୋଗ ଆଣି ଏହି ଦୁଇ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ବୈଠକରେ ହଙ୍ଗାମା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଓ ବିଧାୟକ ଅରୁଣ ସାହୁ ଘଟଣାରେ ହସ୍ତକ୍ଷେପ କରି କାଉନ୍‌ସିଲରଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ଏନେଇ ସେମାନେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରିବେ ବୋଲି କହିଥିଲେ । ସେହି ଘଟଣା ଏବେ ଶଙ୍ଖଭବନରୁ ବାହାରି ଥାନାରେ ପହଞ୍ଚିଛି । ଯାହା କୁହାଯାଉଥିଲା ଯାହା ଚର୍ଚା ହେଉଥିଲା ଏବେ ଦଳରେ ସେ ସବୁ କନ୍ଦଳ ବଢ଼ି ବଢ଼ି ଚାଲିଥିବା ସ୍ପଷ୍ଟ ହୋଇଛି ।  ବିରଞ୍ଚି ମହାସୁପକାରଙ୍କ ସମର୍ଥକ ହେଉଛନ୍ତି ଅବିନାଶ ପାତ୍ର  । ସେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ରାକେଶ ପାତ୍ରଙ୍କ ନାଁରେ ଏୟାରଫିଲ୍ଡ ଥାନାରେ ଫେରାଦ ହୋଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ  ଅଶୋକ ପଣ୍ଡା, ରାକେଶ ପାତ୍ର ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏହି ଅଭିଯୋଗ ଥାନାରେ କରିଛନ୍ତି  ଅବିନାଶ । ତେବେ  ଅଶୋକ କିମ୍ବା ରାକେଶ କଣ କହୁଛନ୍ତି ତାକୁ ନେଇ ଅପେକ୍ଷା ରହିଛି ।