ମଣିପୁରରେ ପହଞ୍ଚି ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଇମ୍ଫାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ପହଞ୍ଚି ରାଜ୍ୟରେ ଉପୁଜିଥିବା ହିଂସାକୁ ନେଇ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ‌ବୈଠକରେ ଅଧ୍ୟକ୍ଷତା କରି ମଣିପୁରରେ ଉପୁଜିଥିବା ହିଂସାକୁ ନେଇ ଆଲୋଚନା କରିଛନ୍ତି।ମଣିପୁର ମେ ୩ ତାରିଖରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଛି। ରାଜ୍ୟରେ ହିଂସା ନିୟନ୍ତ୍ରଣ ବାହାରେ ହେବାରୁ ଶାହା ଚାରି ଦିନିଆ ଗସ୍ତ ପାଇଁ ସୋମବାର ମଣିପୁରରେ ପହଞ୍ଚିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁରର ମନ୍ତ୍ରୀ, ବରିଷ୍ଠ ନେତା ତଥା ଅଧିକାରୀଙ୍କ ସହ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଶାହା ଆଜି ବିଭିନ୍ନ ରାଉଣ୍ଡ ବୈଠକ କରିବାର ଯୋଜନା ରହିଛି।  ସ୍ଥିତି ସମୀକ୍ଷା କରିବା ସହ ରାଜ୍ୟରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।ବୁଧବାର ଦିନ ସେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସାରା ରାଜ୍ୟରେ ଚାଲିଥିବା ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଥିବା ପଦକ୍ଷେପ ଘୋଷଣା କରିବେ। ଗୁରୁବାର ସକାଳେ ସେ ଇମ୍ଫାଲରୁ ବିମାନ ଯୋଗେ ଦିଲ୍ଲୀ ଫେରିବେ ବୋଲି ଜଣାପଡିଛି।