ଶେଷ ହେଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଆଜି ସମାପନ ହୋଇଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିସମାପ୍ତି ମୁମ୍ବାଇରେ ହୋଇଛି। ଯାତ୍ରାର ଉଦ୍ଯାପନୀ ସମାରୋହରେ ଆଜି ବହୁ ସଂଖ୍ୟାରେ ଇଣ୍ଡି ମେଣ୍ଟ ନେତାଙ୍କ ସମାଗମ ଦେଖିବାକୁ ମିଳିଥିଲା। ଲୋକସଭା ନିର୍ବାଚନ-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାର ଦିନକ ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି ଯେ ତାଙ୍କ ଏବଂ ସମଗ୍ର ବିରୋଧୀ ଦଳ ଏବେ ‘ଶକ୍ତି’ ବିରୋଧରେ ଲଢୁଛନ୍ତି।
ସମାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, ହିନ୍ଦୁ ଧର୍ମରେ ଶକ୍ତି ଶବ୍ଦ ରହିଛି। ଆମେ ଏକ ଶକ୍ତି ବିରୋଧରେ ଲଢ଼ୁଛୁ। ପ୍ରଶ୍ନ ଉଠୁଛି, ସେ ଶକ୍ତି କ’ଣ? ଇଭିଏମ୍ରେ ରହିଛି ରାଜାଙ୍କ ଆତ୍ମା। ଇଭିଏମ୍ ଏବଂ ଦେଶର ପ୍ରତ୍ୟେକ ଅନୁଷ୍ଠାନ ଯଥା ଇଡି, ସିବିଆଇ ଓ ଆୟକର ବିଭାଗରେ ରାଜାଙ୍କ ଆତ୍ମା ରହିଛି। ଆମେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଲଢୁନାହୁଁ । ଆମେ ଏକ ‘ଶକ୍ତି’ ବିରୋଧରେ ଲଢ଼େଇ କରୁଛୁ। ହଜାର ହଜାର ଲୋକଙ୍କୁ ଜେଲ୍ ପଠାଇବାକୁ ଧମକ ଦିଆଯାଉଛି ଏବଂ ଅରାଜକତା ବ୍ୟାପିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ଲଢ଼ିବା ଆପଣମାନଙ୍କ ଦାୟିତ୍ବ। ମୁଁ ଦେଶ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଘୃଣା ବ୍ୟାପିବାକୁ ଦିଅନ୍ତୁ ନାହିଁ, ଘୃଣାର ବଜାରରେ ପ୍ରେମର ଦୋକାଲ ଖୋଲନ୍ତୁ ବୋଲି ରାହୁଲ କହିଛନ୍ତି