ବିଜେପିରେ ମିଶିପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ

ସାମ୍ବାଦିକତା ଓ ରାଜନୀତିରେ ଭଲ ଦକ୍ଷତା ରଖିଥିବା ୬୭ ବର୍ଷୀୟ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇଲେ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ୧୯୯୮ରେ ସେ କଟକରୁ ସାଂସଦ ହୋଇଥିଲେ। ୨୦୧୭ ମସିହାରେ ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରି ଆୱାର୍ଡ ଗ୍ରହଣ କରିଥିଲେ। ସେହିପରି ସେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ରେସ ସଂସଦ ରତ୍ନ ପୁରସ୍କାର ଗ୍ରହଣ କରିଥିଲେ। ତେବେ ବିଜେଡିର ଜଣେ ବରିଷ୍ଠ ନେତା ଭାବେ ଦଳରେ ସେ ଖୁବ ଅନୁଭବୀ ଓ ଅଭିଜ୍ଞ ନେତା ଥିଲେ। କିନ୍ତୁ ହଠାତ ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ତେବେ ବିଜେଡି ଛାଡିବା ପରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟପଟେ ଭର୍ତ୍ତୃହରି ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି କୁହାଯାଉଛି।ବିଜେଡିର ଜଣେ ବରିଷ୍ଠ ନେତା ଭାବେ ଦଳରେ ଭର୍ତ୍ତୃହରି ଖୁବ ଅନୁଭବୀ ଓ ଅଭିଜ୍ଞ ନେତା ଥିଲେ। ବିଜେଡିର ସାଙ୍ଗଠନିକ ଦକ୍ଷତା ଓ ଦଳର ଦୁର୍ବଳତା ଉପରେ ଭର୍ତ୍ତୃହରିଙ୍କୁ ବେଶ୍ କିଛି ମାଲୁମ ରହିଛି। ତେଣୁ ସେ ଯଦି ମୁଖ୍ୟ ବିରୋଧୀ ଦଳ ବିଜେପିରେ ସାମିଲ ହୁଅନ୍ତି ତେବେ ନିଶ୍ଚୟ କେଉଁଠି ନାଁ କେଉଁଠି ତାହା ବିଜେଡି ଉପରେ ପ୍ରଭାବ ପକାଇବ। ବିଜେପିରେ ସାମିଲ ହେବା ପରେ ଭର୍ତ୍ତୃହରି ଅଧିକ ବିଜେଡି ଉପରେ ଆକ୍ରମଣାତ୍ମକ ହୋଇପାରନ୍ତି। ବିଜେଡିର ଦୋଷ ଆଉ ଦୁର୍ବଳତା ପଦାରେ ପକାଇ ପାରନ୍ତି। କିନ୍ତୁ ଅପରପକ୍ଷେ ଟିକେଟ ଓ ପଦ ପଦବୀ ଲୋଭରେ ଭର୍ତ୍ତୃହରି ବିଜେପିକୁ ଯାଉଛନ୍ତି ବୋଲି ବିଜେଡି କହିଛି। ତେବେ ଭର୍ତ୍ତୃହରିଙ୍କ ସ୍ଥିତି କଟକରେ ଭଲ ନଥିଲା ଓ ସେ ଦିନକୁ ଦିନ ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ ଏବଂ ସେ ଜାଣିସାରିଥିଲେ ଯେ, ଏଥର ସେ ଟିକଟ ପାଇବେ ନାହିଁ। ଏହି ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ ଓ ସେ ବହୁ ଦିନରୁ ବିଜେପି ସହ ସମ୍ପର୍କରେ ଥିଲେ। ଟିକେଟ ପାଇବା ଲୋଭରେ ଓ ପଦ ପଦବୀ ଲୋଭରେ ସେ ବିଜେପିକୁ ଯାଉଛନ୍ତି ବୋଲି ଗତକାଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଥିଲା ।