ଏନ୍ ଭାସ୍କର ରାଓ, ଲାଲ୍ ବିହାରୀ ହିମିରିକା ଓ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଉ ଛାତ୍ର ନେତା ହରିଶଙ୍କର ରାଉତ ଏଇ ନିକଟରେ ବିଜେଡି ଛାଡିଛନ୍ତି । ଏମାନେ ଯେ ବିଜେଡି ଛାଡ଼ିବେ କେହି କଳ୍ପନା ବି କରିନଥିଲେ। କିନ୍ତୁ ଘଟଣାଚକ୍ର ଏମିତି ହେଲା ଯେ ଏମାନଙ୍କୁ ବିଜେଡି ଛାଡ଼ିବାକୁ ପଡ଼ିଛି। ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ତ ବିଜେଡି ଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିଭାଉନଥିବାର ଅଭିଯୋଗ ଆଣି ଦଳର କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିଲେ। କିନ୍ତୁ ଏନ୍ ଭାସ୍କର ରାଓ ଓ ଲାଲ୍ ବିହାରୀ ହିମିରିକା ବିଜେଡି ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ କରି ଦଳ ଛାଡ଼ିଛନ୍ତି।
ଏବେ ଆଲୋଚନା ହେଉଛି ଦଳଛାଡିପାରନ୍ତି ଭୂପିନ୍ଦର ସିଂହ। କଳାହାଣ୍ଡି ଜିଲ୍ଲାର ଜଣାଶୁଣା ଭୂପିନ୍ଦର ସିଧାସଳଖ ଭାବେ ଏକାଧିକବାର କହିସାରିଲେଣି ସେ ବିଜେଡି ଛାଡ଼ିବେ। ଏପରିକି କଂଗ୍ରେସକୁ ଫେରିବାର ଆକଳନ ବି ଜୋର୍ ଧରିଛି। କିନ୍ତୁ ତଥ୍ୟାଭିଜ୍ଞ ମହଲରୁ ଜଣାଯାଏ ଯେ ଏଭଳି ପ୍ରଚାର କରି ସେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବା ଲାଗି ଦଳ ଉପରେ ଚାପ ପକାଉଛନ୍ତି। ଯଦି ସେଥିରେ ସେ ସଫଳ ନ ହୁଅନ୍ତି, ତେବେ ହୁଏତ ବିଜେଡି ଛାଡ଼ିପାରନ୍ତି। କାରଣ ଗତ ଥର ତାଙ୍କୁ ବିଜେଡି ବିଧାନସଭା ଟିକେଟ୍ ଦେଇନଥିଲା। ଦେଖାଯାଉ, ଭୂପିନ୍ଦର ସିଂହଙ୍କ କ୍ଷେତ୍ରରେ କ’ଣ ଘଟୁଛି?
ତେଣେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାମ ବି ମନକୁ ଆସୁଛି। ସେ ଦଳରେ ଥାଇ ନଥିବା ଭଳି ମନେ ହେଉଛି। ସେ ବି ନେତୃତ୍ବ ବିରୋଧରେ ମୁହଁ ଖୋଲିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା। ଏଣୁ ସେ ଅସନ୍ତୁଷ୍ଟ ରହିବା ସ୍ବାଭାବିକ। ଏମିତି ବି ଆକସ୍ମିକ ଭାବେ ବି କାହାରି ନାମ ଏହି ତାଲିକାରେ ଆସିପାରେ। ବିଜେଡି ଏବେ କ୍ଷମତାରେ ନଥିବା କାରଣରୁ ଦଳରେ କାହା ପାଳି ଆଗ ପଡ଼ିବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।