ପଞ୍ଚାଏତ ନିର୍ବାଚନ ପୂର୍ବରୁ ଏନଏସି ଘୋଷଣା ବିଜେପିକୁ କେତେ ଫାଇଦା ଦେବ ?

ରାଜ୍ୟରେ ନୂଆ ଏନଏସି ଘୋଷଣା ହୋଇଛି । ଏହାକୁ ନେଇ କେଉଁଠି ଖୁସି ତ କେଉଁଠି ଦୁଃଖ । କେଉଁଠି ବିରୋଧ ପ୍ରଦର୍ଶନ ଚାଲିଛି । ଓଡ଼ିଶାରେ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ୧୬ଟି ନୂଆ ଏନଏସି (NAC) ଏବଂ ୭ଟି ନୂଆ ମ୍ୟୁନିସିପାଲିଟିର ଘୋଷଣା ହୋଇଛି ।  କିଛି ଅଞ୍ଚଳର ବାଦ୍ ପଡ଼ିବା ବିରୋଧୀ ଦଳ ବିଜେଡିଙ୍କୁ ସୁଯୋଗ ଦେଇଛି ବିରୋଧ କରିବାକୁ  ।  ମାର୍ଶାଘାଇ ଏବଂ ଆଳି ଏଥର ଏନଏସି ହେବାର ଆଶାରେ ଥିଲେ, କିନ୍ତୁ ଘୋଷଣାରେ ଏହାକୁ ବାଦ୍ ଦିଆଯାଇଛି। ଏହା ସ୍ଥାନୀୟ ଲୋକମାନଙ୍କୁ ମୋହନ ସରକାର ବିରୁଦ୍ଧରେ ବିଦ୍ରୋହ ପାଇଁ ପ୍ରସ୍ତୁତ କରୁଛି। ବିଜେଡି ନେତାମାନେ ଏହାକୁ ରାଜନୈତିକ ମାମଳା କରି ସରକାରକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛନ୍ତି, ଯାହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବାକୁ ଯାଉଛି।

ଖୋର୍ଦ୍ଧାରେ ବେଗୁନିଆ ଓ ବୋଲଗଡ଼ର ବାଦ୍ ପଡ଼ିବାକୁ ନେଇ ବିରୋଧ ହେଉଛି ।  ଖୋର୍ଦ୍ଧା ଜିଲ୍ଲାରେ ଟାଙ୍ଗୀକୁ ଏନଏସି ମାନ୍ୟତା ମିଳିଛି, କିନ୍ତୁ ବେଗୁନିଆ ଏବଂ ବୋଲଗଡ଼କୁ ବାଦ୍ ଦିଆଯାଇଛି। ଏହା ସ୍ଥାନୀୟଙ୍କରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଆଗାମୀ ଦିନରେ ଯଦି ସରକାର ଏହି ଅଞ୍ଚଳକୁ ଏନଏସି ଘୋଷଣା ନକରନ୍ତି, ତେବେ ବିଜେଡି ଆନ୍ଦୋଳନ ଆରମ୍ଭ କରିବାର ଚେତାବନୀ ଦେଇଛନ୍ତି ବିଧାୟକ। ଏହା ସରକାରଙ୍କ ପାଇଁ ରାଜନୈତିକ କଣ୍ଟା ହୋଇପାରେ, କାରଣ ଏହି ଅଞ୍ଚଳରେ ବିଜେଡିର ମଜବୁତ ସମର୍ଥକ ଅଛନ୍ତି।

ସାମଗ୍ରିକ ପ୍ରଭାବ ଓ ବିଜେପିର ରାଜନୈତିକ ଲାଭ ହୋଇଛି ।  ଏନଏସି ଓ ମ୍ୟୁନିସିପାଲିଟି ଘୋଷଣା ସରକାରଙ୍କୁ ବୁଷ୍ଟର୍ ଡୋଜ୍ ଦେଇଛି । ହଜାର ହଜାର ଲୋକ ଖୁସି ହୋଇଛନ୍ତି ।   ଯେଉଁ ଅଞ୍ଚଳଗୁଡ଼ିକୁ ବାଦ୍ ଦିଆଯାଇଛି, ସେଠାରୁ ସ୍ଥାନୀୟ ଲୋକମାନଙ୍କର ଅସନ୍ତୋଷ ସରକାରଙ୍କୁ ଅଡୁଆରେ ପକାଇପାରେ। ବିରୋଧୀ ବିଜେଡି ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣି ଆନ୍ଦୋଳନ କରି ସରକାରଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛି।

Leave a comment