ବିଜେପିରେ ମିଶିବେ ବଡ଼ ବିଜେଡି ନେତା । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍ରେ ଅଛନ୍ତି ଅନେକ ବଡ ନେତା’ ।ଏଭଳି ଏକ ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋରଦାର ହୋଇଛି । ନିର୍ବାଚନ ପୂର୍ବରୁ ଯଦିଓ କିଛି ବିଜେଡି ନେତା ବିଜେପିରେ ମିଶିଥିଲେ ଏହା ପଛରେ କିନ୍ତୁ ଦଳୀୟ ଟିକେଟ୍ ହାତେଇବା ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ତେଣୁ ଏହି ଚର୍ଚ୍ଚା ସେହି ସମୟର ନୁହେଁ । ବରଂ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ କିଛି ଘଟଣାରୁ ଆରମ୍ଭ ହୋଇଛି ବିଜେଡି ଛିଡୁଥିବାର ଚର୍ଚ୍ଚା ।ବିଶେଷ କରି ଗତ ଜୁଲାଇ ୩୧ରେ ବିଜେଡିର ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ଏବଂ ଏହାର ଠିକ୍ ପରଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସେ ବିଜେପିରେ ମିଶିବା ଏହି ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଥିଲା । ବିଜେଡି ଛାଡିବା ପରେ ମମତା ନିଜ ଅସନ୍ତୋଷକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ସେ ବିଜେଡିରେ ଅଲୋଡା ହୋଇପଡିଥିଲେ । ଦଳ ତାଙ୍କ ସେବା ଆବଶ୍ୟକତା କରୁନଥିଲା । ମୁଁ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି । ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ମମତା । ତେବେ ମମତା ମହାନ୍ତ କୁଡୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ । ମୟୂରଭଞ୍ଜ ଓ ପଡୋଶୀ କେନ୍ଦୁଝର ଜିଲ୍ଲାରେ ଏହି ସଂପ୍ରଦାୟର ବହୁ ଲୋକ ରହିଥିବା ବେଳେ ମମତା ସେମାନଙ୍କ ପାଇଁ ଅନେକ କାମ କରୁଥିଲେ ।ଯେଉଁଥିପାଇଁ ୨୦୨୦ରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ହେଲେ ଗତ ବୁଧବାର ସେ ବିଜେଡି ଛାଡି ଗୁରୁବାର ବିଜେପିରେ ମିଶିଥିଲେ । ଆଉ ମମତାଙ୍କ ଦଳ ଛାଡିବା ବିଜେଡି ପାଇଁ ମହଙ୍ଗା ପଡିପାରେ ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଲା । ବିଜେଡିର ଆହୁରି ଅନେକ ନେତା ବିଜେପି ମୁହାଁ ବୋଲି ମଧ୍ୟ କିଛି ନେତା ଗଣମାଧ୍ୟମରେ କହିଲେ । ହେଲେ ଆଜି ଏହି କୁହୁଳୁଥିବା ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଛି ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବିସ୍ଫୋରକ ବୟାନ । ସେ କହିଛନ୍ତି କି ବିଜେଡିର ବହୁ ନେତା ଓ ବିଧାୟକ ବିଜେପି ସହ ଯୋଗସୂତ୍ରରେ ଅଛନ୍ତି । ବହୁ ଲୋକ ବିଜେଡି ଛାଡି ବିଜେପିରେ ମିଶିବାକୁ ଚାହୁଁଛନ୍ତି ।ଯେଉଁ ନେତାମାନଙ୍କୁ ବିଜେଡି ସେଠି ଅଣଦେଖା କରିଛି ସେହିଭଳି ନେତୃବୃନ୍ଦ ଖୁବ୍ ଶୀଘ୍ର ବିଜେଡି ଛାଡି ବିଜେପିରେ ଯୋଗଦେବେ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ସେପଟେ ବିଜେପି ବିଧାୟକଙ୍କ ଏଭଳି ବୟାନକୁ ଖଣ୍ଡନ କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କି ବିଜେପି କେବଳ ବାହାସ୍ଫୋଟ ମାରୁଛି । ଦଳ ଏକ ଅଛି । ବିଜେଡିକୁ ଅସ୍ଥିର କରିବା ପାଇଁ ବିଜେପି ଏଭଳି ସବୁ ଯୋଜନା କରୁଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ