ବିଜେପିରେ ମିଶିବେ ବଡ଼ ବିଜେଡି ନେତା । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍ରେ ଅଛନ୍ତି ଅନେକ ବଡ ନେତା’ ।ଏଭଳି ଏକ ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋରଦାର ହୋଇଛି । ନିର୍ବାଚନ ପୂର୍ବରୁ ଯଦିଓ କିଛି ବିଜେଡି ନେତା ବିଜେପିରେ ମିଶିଥିଲେ ଏହା ପଛରେ କିନ୍ତୁ ଦଳୀୟ ଟିକେଟ୍ ହାତେଇବା ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ତେଣୁ ଏହି ଚର୍ଚ୍ଚା ସେହି ସମୟର ନୁହେଁ । ବରଂ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ କିଛି ଘଟଣାରୁ ଆରମ୍ଭ ହୋଇଛି ବିଜେଡି ଛିଡୁଥିବାର ଚର୍ଚ୍ଚା ।ବିଶେଷ କରି ଗତ ଜୁଲାଇ ୩୧ରେ ବିଜେଡିର ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ଏବଂ ଏହାର ଠିକ୍ ପରଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସେ ବିଜେପିରେ ମିଶିବା ଏହି ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଥିଲା । ବିଜେଡି ଛାଡିବା ପରେ ମମତା ନିଜ ଅସନ୍ତୋଷକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ସେ ବିଜେଡିରେ ଅଲୋଡା ହୋଇପଡିଥିଲେ । ଦଳ ତାଙ୍କ ସେବା ଆବଶ୍ୟକତା କରୁନଥିଲା । ମୁଁ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି । ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ମମତା । ତେବେ ମମତା ମହାନ୍ତ କୁଡୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ । ମୟୂରଭଞ୍ଜ ଓ ପଡୋଶୀ କେନ୍ଦୁଝର ଜିଲ୍ଲାରେ ଏହି ସଂପ୍ରଦାୟର ବହୁ ଲୋକ ରହିଥିବା ବେଳେ ମମତା ସେମାନଙ୍କ ପାଇଁ ଅନେକ କାମ କରୁଥିଲେ ।ଯେଉଁଥିପାଇଁ ୨୦୨୦ରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ହେଲେ ଗତ ବୁଧବାର ସେ ବିଜେଡି ଛାଡି ଗୁରୁବାର ବିଜେପିରେ ମିଶିଥିଲେ । ଆଉ ମମତାଙ୍କ ଦଳ ଛାଡିବା ବିଜେଡି ପାଇଁ ମହଙ୍ଗା ପଡିପାରେ ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଲା । ବିଜେଡିର ଆହୁରି ଅନେକ ନେତା ବିଜେପି ମୁହାଁ ବୋଲି ମଧ୍ୟ କିଛି ନେତା ଗଣମାଧ୍ୟମରେ କହିଲେ । ହେଲେ ଆଜି ଏହି କୁହୁଳୁଥିବା ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଛି ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବିସ୍ଫୋରକ ବୟାନ । ସେ କହିଛନ୍ତି କି ବିଜେଡିର ବହୁ ନେତା ଓ ବିଧାୟକ ବିଜେପି ସହ ଯୋଗସୂତ୍ରରେ ଅଛନ୍ତି । ବହୁ ଲୋକ ବିଜେଡି ଛାଡି ବିଜେପିରେ ମିଶିବାକୁ ଚାହୁଁଛନ୍ତି ।ଯେଉଁ ନେତାମାନଙ୍କୁ ବିଜେଡି ସେଠି ଅଣଦେଖା କରିଛି ସେହିଭଳି ନେତୃବୃନ୍ଦ ଖୁବ୍ ଶୀଘ୍ର ବିଜେଡି ଛାଡି ବିଜେପିରେ ଯୋଗଦେବେ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ସେପଟେ ବିଜେପି ବିଧାୟକଙ୍କ ଏଭଳି ବୟାନକୁ ଖଣ୍ଡନ କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କି ବିଜେପି କେବଳ ବାହାସ୍ଫୋଟ ମାରୁଛି । ଦଳ ଏକ ଅଛି । ବିଜେଡିକୁ ଅସ୍ଥିର କରିବା ପାଇଁ ବିଜେପି ଏଭଳି ସବୁ ଯୋଜନା କରୁଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା