ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ

 

ପାଟନା: ନଭେମ୍ବର ୬ ତାରିଖରେ ହେବାକୁ ଥିବା ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି। ଏହି ୧୨୧ଟି ଆସନରେ ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ ଲଢ଼େଇ  ତୀବ୍ର ହେଉଛି । ଉଭୟ ମେଣ୍ଟର ପ୍ରଚାର ମୁଖ୍ୟତଃ ତିନୋଟି ମୁଖ୍ୟ ପ୍ରସଙ୍ଗ ଉପରେ କେନ୍ଦ୍ରିତ ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏବଂ ଏନଡିଏ ପୁରୁଣା ‘ଜଙ୍ଗଲରାଜ’ ଏବଂ ‘ପରିବାରବାଦ’ ପ୍ରସଙ୍ଗ ଉପରେ ବିରୋଧୀଙ୍କୁ ଆକ୍ରମଣ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କୁ ପରିବର୍ତ୍ତନର ରାଜନୀତି ବିକାଶ ପ୍ରତି ଆକୃଷ୍ଟ କରିବା। ବିହାରର ଦୀର୍ଘ ଦିନର ଭିତ୍ତିଭୂମି ଓ ପ୍ରାକୃତିକ ସମସ୍ୟାକୁ ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।  ଏହା ମାଧ୍ୟମରେ ଏନଡିଏ ‘ବିକାଶ’ ଏବଂ ଯୋଜନାର ଲାଭକୁ ନିର୍ବାଚନର କେନ୍ଦ୍ରବିନ୍ଦୁ କରିବାକୁ ଚେଷ୍ଟା କରିଛି।

ଏହି ପର୍ଯ୍ୟାୟରେ ମୋଟ ୧୨୧ଟି ଆସନ ମଧ୍ୟରୁ ଦୁଇ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ ଏବଂ ଆରଜେଡିର ଦୁଇ ଭାଇ ତେଜସ୍ୱୀ ଓ ତେଜପ୍ରତା ଭାଗ୍ୟ ନିର୍ଣ୍ଣୟ ହେବ। ନଭେମ୍ବର ୬ ତାରିଖରେ ଭୋଟ୍ ଗ୍ରହଣ ସମାପ୍ତ ହେବା ପରେ, ରାଜନୈତିକ ଦଳଗୁଡ଼ିକ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଉପରେ ଧ୍ୟାନ ଦେବେ।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏନଡିଏକୁ ଶାଣିତ ସମାଲୋଚନା କରିଛନ୍ତି। ବିରୋଧୀଙ୍କୁ ଅପମାନ ଦିଆଯାଉଥିବା ଦର୍ଶାଇ ସେ ବିହାରରେ ଏକ ‘ଅପମାନ ମନ୍ତ୍ରାଳୟ’ ପ୍ରତିଷ୍ଠା କରିବାକୁ ବ୍ୟଙ୍ଗ କରିଛନ୍ତି। ଏହା ସହ ରାଜ୍ୟ ସରକାର ଦିଲ୍ଲୀରୁ ‘ରିମୋଟ କଣ୍ଟ୍ରୋଲ’ରେ ଚାଲୁଥିବା ଅଭିଯୋଗ କରି ଏନଡିଏର ଆତ୍ମବିଶ୍ୱାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ସେପଟେ ଜାତି ଭୋଟ କାହାକୁ ଏତର ଯିବ ? ତାହା ବଡ଼ ପ୍ରଶ୍ନ । ବିହାରରେ ଉଭୟ ମେଣ୍ଟ ଯାଦବମାନଙ୍କୁ ଯଥେଷ୍ଟ ସଂଖ୍ୟକ ଟିକେଟ୍ ଦେଇଛନ୍ତି। ଏନଡିଏ ୧୭ ଜଣ ଯାଦବ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ମହାଗଠବନ୍ଧନ ଏଥର ପ୍ରାୟ ୬୭ ଜଣ ଯାଦବ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି। ଉଭୟ ଦଳ ଦାନାପୁର ଏବଂ ପାରସା ଭଳି ଅନେକ ବିଧାନସଭା ଆସନରେ ଯାଦବ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛନ୍ତି। ୨୦୨୦ ବିଧାନସଭା ନିର୍ବାଚନରେ, ୫୨ ଜଣ ଯାଦବ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଯାଦବ ମହାଗଠବନ୍ଧନର ସଦସ୍ୟ ଭାବରେ ଗୃହକୁ ନିର୍ବାଚିତ ହୋଇଥିଲେ। ଯାଦବମାନେ ଏନଡିଏ ଏବଂ ତା’ପରେ ମହାଗଠବନ୍ଧନ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବିହାରର ଜନସଂଖ୍ୟାର ପ୍ରାୟ ୧୭ ପ୍ରତିଶତ ମୁସଲମାନ। ଏହି ସମ୍ପ୍ରଦାୟ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥର ଉଭୟ ମେଣ୍ଟ ମୁସଲମାନମାନଙ୍କୁ ବହୁ ସଂଖ୍ୟକ ଟିକେଟ୍ ଦେଇଛି। ଅନେକ ସ୍ଥାନରେ ଛୋଟ ଦଳଗୁଡିକରେ ମଧ୍ୟ ଦୃଢ଼ ମୁସଲମାନ ପ୍ରାର୍ଥୀ ଅଛନ୍ତି। ଏଥର NDA ପାଞ୍ଚ ଜଣ ମୁସଲିମଙ୍କୁ ଟିକେଟ୍ ଦେଇଛି, ଯେତେବେଳେ ମହାଗଠବନ୍ଧନ ୨୯ ଜଣଙ୍କୁ ଟିକେଟ୍ ଦେଇଛି। ୨୦୨୦ରେ ୧୯ ଜଣ ମୁସଲିମ ବିଧାୟକ ଜିତି ଗୃହକୁ ପହଞ୍ଚିଥିଲେ। ତଥାପି NDA କୋଟାରୁ ଜଣେ ହେଲେ ମୁସଲିମ ବିଧାୟକ ଜିତି ନଥିଲେ।

Leave a comment