ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା  । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବକୁମାର । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଧରମୈୟା । କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଜି. ପରମେଶ୍ବର, କେ. ଏଚ୍‌. ମନିୟାପ୍ପା, କେ. ଜେ. ଜର୍ଜ, ଏମ୍‌. ବି. ପାଟିଲ୍‌, ସତୀଶ ଜାର୍କିହୋଲି, ପ୍ରିୟାଙ୍କ ଖଡ଼ଗେ , ରାମଲିଙ୍ଗା ରେଡ୍ଡୀ ଏବଂ ବି. ଜେ. ଜମୀର୍‌ ଅହମଦ୍‌ ଖାଁ ଶପଥ ଗ୍ରହଣ କରିଛନ୍ତି।

ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ନେତା ସାମିଲ ହୋଇଛନ୍ତି ।  ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ  ଶପଥ ଗ୍ରହଣ ସମାରୋହ ବେଙ୍ଗାଲୁରୁର କାନ୍ତିରାଓ୍ବା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। ବେଙ୍ଗାଲୁରୁରେ ନବ ନିର୍ବାଚିତ କର୍ଣ୍ଣାଟକ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ଯୋଗ ଦେଇଛନ୍ତି।

କଂଗ୍ରେସର ବିଭିନ୍ନ ରାଜ୍ୟର ବହୁ ବଡ ବଡ ନେତାଙ୍କ ସମେତ ଅନେକ ବିରୋଧୀ ଦଳ ନେତା ଏଥିରେ ଯୋଗ ଦେଇଥିଲେ । ସେହିପରି ଏନସି ସଭାପତି ଫାରୁକ୍ ଅବଦୁଲ୍ଲା ଏବଂ ଏନସିପି ସଭାପତି ଶରଦ ପାଓ୍ବାର, ପିଡିପି ମୁଖ୍ୟ ମେହବୁବୁ ମୁଫତି ମଧ୍ୟ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଯୋଗଦେଇଥିଲେ । ବହୁ କଳାକାରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ।