ଭାରତ କଦାପି ବିଭାଜନ ହୋଇନାହିଁ: ଜୟଶଙ୍କର
ବିଭିନ୍ନ ରାଷ୍ଟରୁ ଦିଆଯାଉଥିବା ମନ୍ତବ୍ୟକୁ ଯଦି ଶୁଣିବେ, ତେବେ ଲାଗିବ ଯେ ଭାରତ ଯେଭଳିି କଦାପି ବିଭାଜନ ହୋଇନାହିଁ। ଏହାର ପରିଣାମଗତ ସମସ୍ୟା ସୃଷ୍ଟି ହୋଇନାହିଁ କିମ୍ବା ଏହି ସମସ୍ୟାର ସମାଧାନରେ ସିଏଏ ସହଯୋଗ କରିବ ନାହିଁ’। ନାଗରିକ ସଂଶୋଧନ ଆଇନ,୨୦୧୯କୁ ନେଇ ଆମେରିକାର ଟିପ୍ପଣୀ ବିରୋଧରେ ଇଣ୍ଡିଆ ଟୁଡେ କନ୍କ୍ଲେଭ୍ରେ ଯୋଗ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସିଏଏ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି ଯେ ସେ ସେହି ଦେଶଗୁଡ଼ିକର ଗାଣତାନ୍ତ୍ରିକ ବ୍ୟବସ୍ଥାର ତ୍ରୁଟିବିଚ୍ୟୁତି, ସେମାନଙ୍କ ନୀତିନିୟମ କିମ୍ବା ନୀତିହୀନତା ଆଦି ଉପରେ ପ୍ରଶ୍ନ ଉଠାଉନାହାନ୍ତି। ବରଂ ଭାରତର ଇତିହାସ ପ୍ରତି ସେମାନଙ୍କ ବୁଝାମଣା ଉପରେ ପ୍ରଶ୍ନ ଉଠାଉଛନ୍ତି। ଗୁରୁତର ଐତିହାସିକ ସମସ୍ୟାର ସମାଧାନରେ ସିଏଏର ଭୂମିକାକୁ ଗୌଣ କରି ରାଜନୈତିକ ସ୍ବାର୍ଥ ନିମନ୍ତେ ବିଦେଶୀ ରାଷ୍ଟ୍ରଙ୍କ ଦ୍ବାରା ବିରୋଧ କରାଯାଉଛି ବୋଲି ଜୟଶଙ୍କର କହିଛନ୍ତି। ସେ କହିଛନ୍ତି ଯେ ଏକ ସମସ୍ୟାର ସମସ୍ତ ଐତିହାସିକ ପ୍ରସଙ୍ଗକୁ ଏଡ଼ାଇ, ସଫାସୁତୁରା କରି, ଏହାକୁ ଏକ ରାଜନୈତିକ ସଂଶୋଧିତ ଯୁକ୍ତିରେ ପରିଣତ କରିବା ଓ କହିବା ନିହାତି ଅବାନ୍ତର। ଏଭଳି କ୍ଷେତ୍ରରେ ସେ ସ୍ପଷ୍ଟ କରିଦେବାକୁ ଚହାନ୍ତି ଯେ ତେବେ ତାଙ୍କ ଠାରେ ମଧ୍ୟ ଏକ ନୀତିନିୟମ ରହିଛି, ସେହି ନିୟମଟି ହେଲା ଯେଉଁମାନେ ବିଭାଜନ ସମୟରେ ନୈରାଶ୍ୟ ଓ ଅପମାନର ଶିକାର ହୋଇଛନ୍ତି ସେମାନଙ୍କ ପ୍ରତି ତାଙ୍କର ଦାୟିତ୍ବ। ସଂଖ୍ୟାଲଘୁ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।