ପ୍ରବଳ ବର୍ଷା ଯୋଗୁଁ ଭାସିଲା ହିମାଚଳପ୍ରଦେଶ ଏବଂ ବେଙ୍ଗାଲୁରୁ ସହର
ପ୍ରବଳ ବର୍ଷା ପାଇଁ ହିମାଚଳପ୍ରଦେଶ ଏବଂ ବେଙ୍ଗାଲୁରୁରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ହିମାଚଳପ୍ରଦେଶରେ ରବିବାରଠାରୁ ପ୍ରବଳ ବର୍ଷାରେ ଭୂସ୍ଖଳନ ହେବା ସହ ଅଚାନକ ବନ୍ୟା ଆସିଛି। ଏଥିଯୋଗୁଁ ରାଜ୍ୟରେ ୪ ଜାତୀୟ ରାଜପଥ ସମେତ ୩୩୮ଟି ରାସ୍ତା ବନ୍ଦ ରହିଛି। ଉନାରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜୁଲାଇ ୩୧ ତାରିଖରେ କୁଲ୍ଲୁ, ମଣ୍ଡି, ଶିମଲା ଜିଲ୍ଲାରେ ଅଚାନକ ବନ୍ୟା ଆସି ଭାସିଯାଇଥିବା ଅନେକ ଲୋକଙ୍କ ମଧ୍ୟରୁ ଏବେ ବି ୩୦ ଜଣଙ୍କ ପତ୍ତା ମିଳୁନି। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ କିଛି ସଫଳତା ମିଳିନି। ଜୁଲାଇ ୨୭ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ରାଜ୍ୟରେ ବନ୍ୟା ଜନିତ କାରଣ ପାଇଁ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଅନ୍ୟପକ୍ଷେ ବେଙ୍ଗାଲୁରୁରେ ଆଜି ବଡ଼ି ଭୋର ସମୟରୁ ପ୍ରବଳ ବର୍ଷା ଲାଗି ରହିବାରୁ ରାସ୍ତାଘାଟ ଜଳବନ୍ଦି ହୋଇଛି ଏବଂ ଏଥିଯୋଗୁ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିଛି। ବିଶେଷ କରି ସହରର ଉତ୍ତର ଏବଂ ପୂର୍ବ ଅଂଶରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ବେଙ୍ଗାଲୁରୁରେ ଜଳବନ୍ଦୀ ସ୍ଥିତି ପାଇଁ ଅନେକ ବିଜେପି ନେତା କଂଗ୍ରେସ ନେତୃତ୍ବାଧୀନ କର୍ଣ୍ଣାଟକ ସରକାରଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ଜଳବନ୍ଦି ରାସ୍ତାର ଏକ ଭିଡିଓ ଏକ୍ସରେ ପୋଷ୍ଟ୍ କରି ବିଜେପି ନେତା ପିସି ମୋହନ କହିଛନ୍ତି, କଂଗ୍ରେସ ବେଙ୍ଗାଲୁରୁକୁ ଲଣ୍ଡନ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଆମେ ଏବେ ଭେନିସ୍ରେ ଅଛୁ।