ଦୈନିକ ଜାଗରଣ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ଘଟଣାରେ ବନ୍ଧା ହେଲେ ୪ ଅଭିଯୁକ୍ତ

ବିହାରର ଅରରିୟାରେ ଗତକାଲି ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି  । ପୂର୍ବରୁ ତାଙ୍କ ଭାଇକୁ ମଧ୍ୟ ଗୁଳି କରି ଅପରାଧିମାନେ ହତ୍ୟା କରିଥିଲେ । ସେ ଏଥିରେ ସାକ୍ଷୀ ଥିଲେ । ତେଣୁ ଅପରାଧୀମାନେ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ବିମଳଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ। ଲିଖିତ ଅଭିଯୋଗରେ ସେ ୮ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେଥିମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ବିହାର ରାଜନୀତିରେ ଚର୍ଚା ଜୋର ଧରିଛି । ପୁଣି ରାଜ୍ୟରେ ଜଙ୍ଗଲରାଜ ଫେରିଥିବା ରାଜନୈତିକ ଦଳମାନେ ଅଭିଯୋଗ କରିଛନ୍ତି । ଦୈନିକ ଜାଗରଣ ପାଇଁ କାମ କରୁଥିବା ୩୫ ବର୍ଷୀୟ ବିମଳ କୁମାରଙ୍କୁ ଭୋରୁ ହତ୍ୟା କରାଯାଇଥିଲା । ତାଙ୍କ ପତ୍ନୀ କହିଛନ୍ତି  ସକାଳୁ ଘର କବାଟ କେହି ବାଡ଼େଇବା ଶବ୍ଦ ଶୁଣିବାକୁ ପାଇଲୁ। କବାଟ ଖୋଲିବା ପରେ ତାଙ୍କୁ ଅପରାଧିମାନେ ଗୁଳି କରି ପଳାଇଥିଲେ । ଡାକ୍ତରଖାନା ନେବା ବାଟରେ ବିମଳଙ୍କ ମୃତ୍ୟୁ ହୋଇଯାଇଥିଲା । ଏଥିସହ ସେ କହିଛନ୍ତି, ୨ ବର୍ଷ ତଳେ ବିମଳଙ୍କ ସାନ ଭାଇ କୁମାର ଶଶିଭୂଷଣଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା ।