କହୁ କହୁ କହିଦେଲେ କଂଗ୍ରେସର ଭିତିରି କଥା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ନେଇ କଣ ସବୁ ଚାଲିଛି ତାହା ଅନେକ ସମୟରେ ଆଲୋଚନା ହୋଇଛି । ନେତୃତ୍ବ କନ୍ଦଳ କଂଗ୍ରେସର ପୁରୁଣା କଥା । ମୁଖିଆ ପରିବର୍ତ୍ତନ ପାଇଁ ଦିଲ୍ଲୀ ଦୈାଡ଼ ସଦାବେଳେ ଲାଗିରହିଛି । ଏହାରି ଭିତରେ କଂଗ୍ରେସର ଏସବୁ ଗହନ କଥା ଉପରୁ ପରଦା ହଟାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ । ପିସିସି ସଭାପତିଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ଆମ ଦଳର ରୋଗ ଅଛି ଯିଏ ପିସିସି ସଭାପତି ହେଇଯିବ ସେ କାହାକୁ ପଚାରିବନି । ଯୁବ ନେତାମାନେ ଏବେ ଦଳ ସହ ନାହାଁନ୍ତି ।  ଆଉ ଏହା ହିଁ  ଆମ ଦଳର ବଡ଼ ରୋଗ । ସେହିପରି କଂଗ୍ରେସ ଦଳରେ ନେତୃତ୍ବର ସଙ୍କଟ ରହିଥିବା କହିଛନ୍ତି ଚିରଞ୍ଜିବ । ଝାରସୁଗୁଡାରେ ପ୍ରଚାର କେମିତି ଚାଲିଛି କାହାକୁ ଡକାଯାଉଛି ଜଣାପଡୁନି । 20 ବର୍ଷ ହେଲା ଯୁବ ନେତାମାନେ ଦଳରେ ଯେମିତି ସୁଯୋଗ ପାଇବା କଥା ପାଉନାହାଁନ୍ତି । ଯିଏ ସଂଗଠନ କରୁଛି ତାଙ୍କୁ ଟିକେଟ ମିଳୁନି । ନିର୍ବାଚନ ଲଢ଼ିବା ମନବୃତ୍ତି ଆଉ କଂଗ୍ରେସରେ ନାହିଁ ବୋଲି କହିଛନ୍ତି ଚିରଞ୍ଜିବ । 9 ଜଣ ବିଧାୟକ ଆମ ଦଳରେ ଅଛନ୍ତି । କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଗୋଡ କାଢ଼ି ବସିଥିବା ସେ କହିଛନ୍ତି । 9 ରୁ 90 ମିଶନକୁ କଟାକ୍ଷ କରି ଚିରଞ୍ଜିବ କହିଛନ୍ତି, ଏହା ହେବ କି ନା ସମୟ କହିବ । ଜାନକୀ-ବସନ୍ତ ଯୋଡି ଆଲୋଚନାରେ ଭାଗ ନେଇ ସେ ଏପରି କହିଛନ୍ତି ।