ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା: ୮ ଜଣଙ୍କର ମୃତ୍ୟୁ,୩୮ ଜଣ ଆହତ
ରାୟଗଡ଼ା: ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ବିଜୟନଗରମର ଆଲମୋଣ୍ଡା ଷ୍ଟେସନ୍ ନିକଟରେ ଲାଇନଚ୍ୟୁତ୍ ହୋଇଛି । ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ବିଶାଖାପାଟଣା-ରାୟଗଡା ଟ୍ରେନ୍ କଣ ପାଇଁ ଲାଇନଚ୍ୟୁତ ହେଲା କାରଣ ଜଣା ପଡ଼ିନାହିଁ । ଓଡିଶା-ଆନ୍ଧ୍ର ସୀମାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି । ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଉଦ୍ଧାର ପାଇଁ ଭୁବନେଶ୍ୱରରୁ ଏକ ଟିମ୍ ବିଶାଖାପାଟଣା ଅଭିମୁଖେ ବାହାରିଛି। ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ, ସେମାନଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଛି। ୨ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ୫ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟକାପାଲିରେ ଘଟିଥିବା ଏହି ଦୁର୍ଘଟଣାର ସ୍ଥିତି ଉପରେ ନଜର ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ତା ସହିତ ଆହତମାନଙ୍କର ସୁସ୍ଥ ଆରୋଗ୍ୟ କାମନା କରିଛନ୍ତି ମୋଦୀ ।