ଟନେଲ୍ ଭିତରେ ଶ୍ରମିକ : ଖାଦ୍ୟ, ପାନୀୟ, ଔଷଧ ସହ ପାଇପ ଦ୍ୱାରା ଦିଆଯାଉଛି ଅକ୍ସିଜେନ
ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡିବାର ତୃତୀୟ ଦିନରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଉତରାଖଣ୍ଡ ପ୍ରଶାସନ । ସୁଡ଼ଙ୍ଗ ଭିତରେ ଫସି ରହିଥିବା ୮ଟି ରାଜ୍ୟର ୪୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ମେସିନ୍ ଅଣାଯାଇଛି । ଆର୍ଥ ଅଗର ମେସିନ ସାହାଯ୍ୟରେ ଡ୍ରିଲ କରି ୯୦୦ ମିଲିମିଟର ଗୋଲେଇର ପାଇପ୍ ଗୁଡ଼ିକୁ ଖଞ୍ଜାଯିବ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ୍ । ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ ସୁଡଙ୍ଗ ଭିତରେ ଫସିରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା କୁହାଯାଉଛି । ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ଖାଦ୍ୟ, ପାନୀୟ, ଔଷଧ ଓ ଅକ୍ସିଜେନ, ପାଇପ ସାହାଯ୍ୟରେ ପଠାଯାଉଛି । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭିଟାମିନ ଯୁକ୍ତ ଖାଦ୍ୟ ଓ ଡ୍ରାଏଫୁଡ ମଧ୍ୟ ପଠାଯାଉଛି । ଯାହା ସେମାନଙ୍କୁ ଦୀର୍ଘ ଘଂଟା ପାଇଁ ସତେଜ ଓ ସୁସ୍ଥ ରଖିବ । ସ୍ଥାନୀୟ ପ୍ରଶାସନ କହିଛି ଯଥା ସମ୍ଭବ ଚେଷ୍ଟା କରାଯାଉଛି କିଭଳି ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ।