ଅହମ୍ମଦାବାଦ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ପକ୍ଷରୁ ଅହମ୍ମଦାବାଦ ଠାରେ ଆୟୋଜିତ ‘ତ୍ରିରଙ୍ଗା ଯାତ୍ରା’ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଦେଶଭକ୍ତି ଏବଂ ସଂକଳ୍ପର ପରିଭାଷା ପାଲଟିଛି । ଏହି ଅଭିଯାନ କେବଳ ଗୁଜରାଟରେ ନୁହେଁ ବରଂ ସମଗ୍ର ଦେଶରେ ଏକ ନୂତନ ଶକ୍ତି ସଂଚାର କରୁଛି ବୋଲି ସେ କହିଛନ୍ତି ।
ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନତାର ୭୮ ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ ଏବଂ ଏହି ଅବସରରେ ଗୁଜରାଟରେ ଗୋଟିଏ ବି ଘର କିମ୍ବା କାର୍ଯ୍ୟାଳୟ ବିନା ତ୍ରିରଙ୍ଗାରେ ରହିବା ଉଚିତ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ସମଗ୍ର ଗୁଜରାଟକୁ ତ୍ରିରଙ୍ଗାରେ ସଜ୍ଜିତ କରିବା ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇଛି ଏବଂ ଏହା ମାଧ୍ୟମରେ ଗୁଜରାଟ ପ୍ରତ୍ୟକ ବ୍ୟକ୍ତି ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶ ଭକ୍ତିର ଭାବନା ଜାଗ୍ରତ ହୋଇଥାଏ ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ, ଏହା ପଛରେ ତିନୋଟି ଲକ୍ଷ୍ୟ ଥିଲା । ଦେଶର ପ୍ରତ୍ୟେକ ଶିଶୁ, ଯୁବକ ଓ ନାଗରିକଙ୍କୁ ସ୍ୱାଧୀନତା ସଂଗ୍ରାମର ସମଗ୍ର ଇତିହାସ ବିଷୟରେ ମନେ ପକାଇବା ପ୍ରଥମ ଲକ୍ଷ୍ୟ ଥିଲା । ଦ୍ୱିତୀୟ ଲକ୍ଷ୍ୟ ଥିଲା ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ସଫଳତା ବିଷୟରେ ସମସ୍ତ ନାଗରିକ, ବିଶେଷ କରି ଯୁବପିଢ଼ିଙ୍କୁ ଅବଗତ କରାଇବା । ତୃତୀୟ ଉଦ୍ଦେଶ୍ୟ ଥିଲା ଦେଶର ୧୪୦ କୋଟି ନାଗରିକଙ୍କୁ ଭାରତର ସ୍ୱାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ‘ଅମୃତ କାଳ’ ର ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଦିଗରେ କାର୍ଯ୍ୟ କରି ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ବିଜୟୀ କରିବା ପାଇଁ ସଂକଳ୍ପ ନେବା ।
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆଜାଦୀର ଅମୃତ ମହୋତ୍ସବ ଅଭିଯାନ ପରେ ‘ଅମୃତ କାଳ’ ରେ ଦେଶକୁ ପ୍ରଥମ କରିବାର ସଂକଳ୍ପକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ‘ହର ଘର ତ୍ରିରଙ୍ଗା ଯାତ୍ରା’ ର ଆୟୋଜନ କରାଯାଉଛି । ଆଜି ଏହି ଅବସରରେ ଆମେ ଦେଶର ସ୍ୱାଧୀନତା ପାଇଁ ସବୁକିଛି ବଳିଦାନ ଦେଇଥିବା ଅଗଣିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।