ଡିପ୍‌ଫେକ୍‌କୁ ଚିହ୍ନଟ କରିବା ପାଇଁ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ଏକ ମାର୍ଗଦର୍ଶିକା ଜାରି କରି କେତେକ ଜରୁରି ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି ।  ଭୁଲ ସୂଚନା ଏବଂ ଡିପ୍‌ ଫେକ୍‌ (ମିଥ୍ୟା ସୂଚନା ପ୍ରସାର କରିବା ଲାଗି ଡିଜିଟାଲ ପଦ୍ଧତିରେ କୌଣସି ବ୍ୟକ୍ତିଙ୍କ ମୁଖମଣ୍ଡଳ କିମ୍ବା ଶାରୀରିକ ପରିବର୍ତ୍ତନ କରିବା)ବିଷୟବସ୍ତୁକୁ ଚିହ୍ନଟ କରିବା ପାଇଁ ଯଥେଷ୍ଟ ତତ୍ପରତା ଅବଲମ୍ବନ କରିବା ଏବଂ ଯୁକ୍ତିଯୁକ୍ତ ପ୍ରୟାସ କରିବାକୁ କୁହାଯାଇଛି । ବିଶେଷକରି, ନିୟମ ଓ ନିୟାମକ ଏବଂ / କିମ୍ବା ଉପଭୋକ୍ତା ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା ସୂଚନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।  ଆଇଟି ନିୟମ 2021 ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏଭଳି ମାମଲାଗୁଡ଼ିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏଭଳି ସୂଚନା/ବିଷୟବସ୍ତୁ/ଡିପ୍‌ ଫେକ୍‌ ବିଷୟବସ୍ତୁକୁ ହୋଷ୍ଟ ନକରିବା ପାଇଁ ବ୍ୟବହାରକାରୀଙ୍କୁ କୁହାଯାଇଛି । ରିପୋର୍ଟ କରିବାର 36 ଘଣ୍ଟା ମଧ୍ୟରେ ଏଭଳି କୌଣସି ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ରହିଛି।  ଆଇଟି ନିୟମାବଳୀ 2021 ଅନ୍ତର୍ଗତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଏବଂ ସାମଗ୍ରୀ/ସୂଚନା ପର୍ଯ୍ୟନ୍ତ ପହଞ୍ଚ (ଆକ୍ସେସ୍‌)କୁ ଡିଜେବଲ୍‌ ବା ଅକ୍ଷମ କରିବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।ଆଇଟି ଆଇନ ଏବଂ ନିୟମର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାରେ ବିଫଳତା ଆଇଟି ନିୟମ, 2021ର ନିୟମ 7କୁ ଆକୃଷ୍ଟ କରିବ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, 2000ର ଧାରା 79(1) ଅନୁଯାୟୀ ଉପଲବ୍ଧ ସୁରକ୍ଷା ହରାଇବା ପାଇଁ ସଂଗଠନ ଦାୟୀ ହୋଇପାରେ ।

କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଡିପଫେକ୍ ଏକ ବଡ଼ ଉଲ୍ଲଂଘନ ଏବଂ ବିଶେଷ କରି ମହିଳାମାନଙ୍କୁ କ୍ଷତି ପହଞ୍ଚାଇଥାଏ। ଆମ ସରକାର ସମସ୍ତ ନାଗରିକ, ବିଶେଷକରି ଏଭଳି ବିଷୟବସ୍ତୁ ଦ୍ୱାରା ଟାର୍ଗେଟ୍‌ ହେଉଥିବା ଆମର ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଓ ବିଶ୍ୱାସର ଦାୟିତ୍ୱକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛନ୍ତି।