ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀର ଆପ୍ ସରକାରକୁ ଟାର୍ଗେଟ କରି ଆସୁଛି ବିଜେପି । ଆଉ ଏସବୁ ଭିତରେ ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଅରବିନ୍ଦ କେଜ୍ରିୱାଲ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାକୁ ନେଇ ଆପ୍ ସରକାରକୁ ଘେରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀର ଆପ୍ ସରକାରକୁ ପାପ ସରକାରର ଆଖ୍ୟା ଦେବା ସହ କହିଛନ୍ତି କେଜ୍ରିୱାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସାଂଘାତିକ ଖେଳ । ଶିକ୍ଷା ବିଭାଗରେ ଦୁର୍ନୀତି ଅଭିଯୋଗ ଆଣି କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି ଗୌରବ ।ସାମ୍ବାଦିକ ସମ୍ମିଳନୀ କରି ଗୌରବ କହିଛନ୍ତି, ନିର୍ବାଚନୀ ଇସ୍ତାହାର ପତ୍ରରେ ଆପ୍ ଦିଲ୍ଲୀରେ ୫୦୦ ନୂଆ ସ୍କୁଲ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ୫୦୦ ସ୍କୁଲ ତ ଖୋଲିଲା ନାହିଁ । ଏବେ ପୂର୍ତ୍ତ ବିଭାଗ ଠାରୁ ଆଣିଥିବା ରିପୋର୍ଟ ଆଧାରରେ କହୁଛନ୍ତି ଦିଲ୍ଲୀରେ ନୂଆ ସ୍କୁଲ ନୁହେଁ ବରଂ ଅଧିକ ଶ୍ରେଣୀଗୃହ ଖୋଲିବୁ । ସ୍କୁଲରେ ୨୪୦୦ ଶ୍ରେଣୀଗୃହର ଆବଶ୍ୟକତା ଥିଲା ଏବେ ଏହାକୁ ବୃଦ୍ଧି କରି ୭୧୮୦ଟି କରାଯାଇଛି । ଏହାଦ୍ୱାରା ବଜେଟରେ ୩୨୬ କୋଟି ଟଙ୍କାର ଅଧିକ ବ୍ୟୟବରାଦ ହୋଇଛି । ଏମାନେ ଟୟଲେଟର ଗଣନା କ୍ଲାସରୁମ ସହ କରିଛନ୍ତି ବୋଲି ଗୌରବ କହିଛନ୍ତି ।