ଓଡ଼ିଶାରେ ଉତ୍ତମ ଶାସନ ଏବଂ ଅନନ୍ୟ ସଂସ୍କୃତି ପାଳନ ପାଇଁ ଏହା ଏକ ଐତିହାସିକ ବିଜୟ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜଗନ୍ନାଥଙ୍କ ଭୂମିରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିପ୍ପଣୀ କରିଛନ୍ତି।  ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୨୯୩ ଆସନ​‌ରେ ବିଜୟୀ ହୋଇ କ୍ରମାଗତ ତୃତୀୟ ଥର କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍‌ଡିଏ ଉପରେ ପୁଣି ଭରସା ରଖିଥିବାରୁ ମୋଦୀ ଜନତା ଜନାର୍ଦନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଭାରତ ଇତିହାସରେ ଏହା ଆଉ ଏକ ଐତିହାସିକ ଘଟଣା ବୋଲି ମୋଦୀ ମତବ୍ୟକ୍ତ କରିଛନ୍ତି। ବିଗତ ଦଶ ବର୍ଷ ଧରି ତାଙ୍କ ସରକାର ଯେଭଳି ଦେଶବାସୀଙ୍କୁ ବିକାଶ ଦିଗରେ କାର୍ଯ୍ୟ କରିଛି, ତାହାକୁ ଅବ୍ୟାହତ ରଖିବେ ବୋଲି ମୋଦୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଦଳକୁ ବିଜୟୀ କରିବାରେ କର୍ମୀଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଶଂସା କରିବାରେ ଶବ୍ଦର ଅଭାବ ରହିଥିବା ମୋଦୀ କହିଛନ୍ତି।
ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିଜେପିର ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳର ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ଓଡ଼ିଶାରେ ବିଜେପିର ବଡ଼ ବିଜୟ ହୋଇଛି। ଏଥିପାଇଁ ସେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଜଗନ୍ନାଥଙ୍କ ଭୂମିର ସେବା ପାଇଁ ବିଜେପିକୁ ସୁଯୋଗ ମିଳିଛି। ଏଥିପାଇଁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୋଦୀଙ୍କ ନେତୃତ୍ବରେ ବିଜୟ ହାସଲ ବିକଶିତ ଭାରତ, ବିକଶିତ ଓଡ଼ିଶା ସଂକଳ୍ପ ସାକାର ହେବ। ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ସାହିତ୍ୟର ବିକାଶ ହେବ ବୋଲି ଶ୍ରୀ ଶାହା କହିଛନ୍ତି।