ତାମିଲନାଡୁ ବିଧାନସଭାରେ ରାଜ୍ୟପାଳ -ବନାମ ମୁଖ୍ୟମନ୍ତ୍ରୀ! ଭାଷଣ ପଢ଼ି ଗୃହରୁ ପଳାଇଲେ ରାଜ୍ୟପାଳ

ଚେନ୍ନେଇ:  ତାମିଲନାଡୁ ରାଜନୀତିରେ ଏବେ ସରକାର ବନାମ ରାଜ୍ୟପାଳ ଚାଲିଛି । ବାରମ୍ଭାର ଏନେଇ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଚାଲିଛି । ତେବେ ଏସବୁ ଭିତରେ  ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ବିଧାନସଭା ଚାଲିଥିବା ବେଳେ ଅସମ୍ମାନ ପାଇ ଗୃହ  ଛାଡି ପଳାଇଲେ ରାଜ୍ୟପାଳ ଆର ଏନ୍ ରବି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣ ଅବିକଳ ନପଢି ରାଜ୍ୟପାଳ ମଝି ମଝିରେ କିଛି ଅଂଶ ଛାଡି ଦେଇଥିଲେ । ଏହାକୁ ବିରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ । ତାମିଲ ଭାଷାରେ ଲିଖିତ ମୂଳ ଭାଷଣଟିକୁ ରେକର୍ଡରେ ରଖିବା ପାଇଁ ଦାବି କରି ପ୍ରସ୍ତାବ ଆଗତ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ରାଜ୍ୟପାଳ ବିଧାନସଭା ଛାଡି ବାହାରକୁ ଚାଲିଯାଇଥିଲେ । ଏପରିକି ଜାତୀୟ ସଙ୍ଗୀତ ପାଇଁ ମଧ୍ୟ ଅପେକ୍ଷା କରିନଥିଲେ । ରାଜ୍ୟପାଳ ୫୦ ମିନିଟ୍ ଧରି ଭାଷଣ ଦେଇଥିଲେ, ଯାହାକି ତାମିଲ ଭାଷାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ ଭାଷଣର ଇଂରାଜୀ ଅନୁବାଦ । ଏଥରୁ କିଛି ଅଂଶ ପଢିନଥିଲେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଥିଲେ କି ରାଜ୍ୟପାଳ ଲିଖିତ ଭାଷଣର ୧୨ ନମ୍ବର ପଏଣ୍ଟର କିଛି ଅଂଶ ପଢିନାହାନ୍ତି ।