ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ଓଡ଼ିଶାରେ ବହୁଚର୍ଚିତ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତ ହୋଇଛନ୍ତି । ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ନିଯୁକ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । । ବିଚାରପତି ଜଷ୍ଟିସ୍ ଏମ ଆର ଶାହା ଓ ଜଷ୍ଟିସ୍ କ୍ରୀଷ୍ଣା ମୁରାରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

ବର୍ଷ ବର୍ଷ ଧରି ଲୋକମାନେ ଚିଟଫଣ୍ଡ ଟଙ୍କା ଫେରିପାଇବାକୁ ଦାବି କରୁଥିବା ବେଳେ ଆମିକସ୍ କ୍ୟୁରୀ ନିଯୁକ୍ତ କରିବାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅନୁରୋଧ କରିଥିଲେ । ଖଣ୍ଡପୀଠ ଏହି ଅନୁରୋଧକୁ ବିଚାରକରି ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି କରିଛନ୍ତି ।

ପୂର୍ବରୁ ମଧ୍ୟ କିଛି ମାମଲାରେ ଗୌରବ ଅଗ୍ରୱାଲ ଆମିକସ୍ କ୍ୟୁରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର, ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧ ତାରିଖରେ କରାଯିବ ବୋଲି ଜଣାପଡିଛି ।