ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳର ଦାବି

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ । ଏହାରି ଭିତରେ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ବିଜେଡି ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଦାବି କରିଛନ୍ତି । ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ଦାବି ଉଠାଇଛନ୍ତି  ବିଜେଡି ସହ ଅନ୍ୟାନ୍ୟ ଦଳ । ବିଜେଡିର ସାଂସଦ ସସ୍ମିତ ପାତ୍ର ଓ ପିନାକୀ ମିଶ୍ର ଏହି ବୈଠକରେ ଯୋଗଦେଇ ଦଳର ଦାବି ଉପସ୍ଥାପନ କରିଛନ୍ତି । ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନକୁ ସୁଚାରୂ ରୂପେ ସମ୍ପାଦନ ଲାଗି ସର୍ବଦଳୀୟ ବୈଠକରେ ହୋଇଛି ଆଲୋଚନା ।  ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭାରେ ଉପନେତା ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଟିଏମସି ନେତା ଡେରେକ ଓ ବ୍ରିଏନ, ଏନସିପି ନେତା ବନ୍ଦନା ଚଭନ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଡିଏମକେ ନେତା ଟି. ଶିବା, ଏମଡିଏମକେ ନେତା ଭାଇକୋ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଓ୍ବାଇଆସିପି ନେତା ଭି. ରେଡୀ, ସମାଜବାଦୀ ପାର୍ଟି ନେତା ଏସଟି ହାସନ ବି ଉପସ୍ଥିତ ଥିଲେ । ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଏହି ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।