ଆଜିଠୁ ନୂଆ ସଂସଦ ଭବନ

ନୂଆଦିଲ୍ଲୀ: ଆଜି ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବ। ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆରମ୍ଭରେ ଲୋକସଭାରେ ପ୍ରାରମ୍ଭିକ ଭାଷଣ ଦେଇ ସଂସଦର ବିଭିନ୍ନ ‘ଐତିହାସିକ ନିଷ୍ପତ୍ତି’ ତଥା ସଫଳତା ବିଷୟରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ପୁରାତନ ସଂସଦ ଭବନରେ ତାଙ୍କର ଶେଷ ଅଭିଭାଷଣରେ କହିଛନ୍ତି ଯେ ଏହି ଭବନ ଛାଡ଼ିବା ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ୭୫ ବର୍ଷ ଇତିହାସରେ ଏଠାରେ ଅନେକ ଘଟଣା ଘଟିଛି।
‘ସବ୍‌କା ସାଥ, ସବ୍‌କା ବିକାଶ’ ମନ୍ତ୍ର ସହିତ ଏହି ଗୃହ ଅନେକ ‘ଐତିହାସିକ ନିଷ୍ପତ୍ତି ଏବଂ ଦୀର୍ଘ ବିଚାରାଧୀନ ପ୍ରସଙ୍ଗ’ର ସାକ୍ଷୀ ହୋଇଛି। ଗୃହ ସର୍ବଦା ଗର୍ବର ସହିତ କହିବ ଯେ ଧାରା ୩୭୦ ଉଚ୍ଛେଦ ଏହା ହେତୁ ସମ୍ଭବ ହେଲା। ଜିଏସ୍‌ଟି ମଧ୍ୟ ଏଠାରେ ଗୃହୀତ ହୋଇଥିଲା।  ଅର୍ଥନୈତିକ ଦୁର୍ବଳ ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ମଧ୍ୟ ଏକ ଐତିହାସିକ ନିଷ୍ପତ୍ତି ଥିଲା, ଯାହାକୁ କେହି ବିରୋଧ କରି ନ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ଗଣତନ୍ତ୍ର ପାଇଁ ପୁରୁଣା ସଂସଦ ଭବନ ଇତିହାସ ପାଲଟି ଯାଇଛି।