ଦେଶଦ୍ରୋହ ଆଇନକୁ ବଡ଼ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ କୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ପାଞ୍ଚଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ତିନିଜଣିଆ ବେଞ୍ଚ କହିଲେ ଯେ, କେଦାରନାଥ ସିଂହ ବନାମ ବିହାର ରାଜ୍ୟ ମାମଲାରେ ୧୯୬୨ରେ ଏକ ପାଞ୍ଚଜଣିଆ ଖଣ୍ଡପୀଠ ଉକ୍ତ ବ୍ୟବସ୍ଥାକୁ କାଏମ ରଖିଥିବାରୁ ତିନିଜଣିଆ ବେଞ୍ଚ ଏହାର ବିଚାର କରିପାରିବେ ନାହିଁ। ତେଣୁ ଏହାକୁ ପାଞ୍ଚଜଣିଆ ବେଞ୍ଚକୁ ସ୍ଥାନାନ୍ତର କରିବା ଯୁକ୍ତିଯୁକ୍ତ। ଦେଶଦ୍ରୋହ ଧାରାକୁ ବଦଳାଇବା ପାଇଁ ପାର୍ଲାମେଣ୍ଟରେ ନୂଆ ବିଲ୍ ଆଗତ ହୋଇଥିବାରୁ କେନ୍ଦ୍ର ସରକାର ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ, ଯାହାକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିନାହାନ୍ତି। ଖଣ୍ଡପୀଠ କହିଥିଲେ ଯେ, ନୂଆ ବିଲ୍ ଯଦି ବି ଆଇନରେ ପରିଣତ ହୁଏ, ତାହା ଆଇପିସିର ୧୨୪ଏ ଅନ୍ତର୍ଗତ ଅତୀତ ମାମଲାକୁ ପ୍ରଭାବିତ କରିବ ନାହିଁ କାରଣ ନୂଆ ଆଇନ ଭବିଷ୍ୟତର ମାମଲାଗୁଡ଼ିକ ପାଇଁ ଲାଗୁ ହେବ। ତେଣୁ ୫ଜଣିଆ ବେଞ୍ଚ ବର୍ତ୍ତମାନ ଏହି ମାମଲାର ବିଚାର କରିବ ଏବଂ ଦରକାର ପଡ଼ିଲେ ଭବିଷ୍ୟତରେ ଏହାକୁ ୭ଜଣିଆ ବେଞ୍ଚକୁ ମଧ୍ୟ ସ୍ଥାନାନ୍ତର କରାଯାଇପାରେ ବୋଲି ଖଣ୍ଡପୀଠ କହିଥିଲେ।