ସମ୍ବିତ ପାତ୍ର, ପିତାମ୍ବର ଆଚାର୍ଯ୍ୟ ଏବଂ ମୋହନ ମାଝି ସଙ୍ଗମରେ ପକାଇଲେ ବୁଡ଼
ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସପରିବାର ସହ ଗଙ୍ଗାରେ ବୁଡ଼ ପକାଇଛନ୍ତି ମୋହନ । ଗଙ୍ଗା ପୂଜା କରିବା ସହ ସ୍ନାନ କରିଛନ୍ତି । ଆସନ୍ତାକାଲି ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ବିଜେପି ସାଂସଦ ସମ୍ବିତ ପାତ୍ର, ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ପ୍ରସିଦ୍ଧ ଗାୟକ କୈଳାଶ ଖେର୍ ମଧ୍ୟ ସଙ୍ଗମରେ ବୁଡ଼ ପକାଇଛନ୍ତି ।
ସଂଗମରେ ବୁଡ଼ ପକାଇବା ସହିତ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଏଠାକୁ ଆସି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ପବିତ୍ର ସଂଗମରେ ବୁଡ଼ ପକାଇଛି ଏବଂ ପ୍ରାର୍ଥନା କରିଛି। ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଙ୍ଗା, ମା’ ଯୁମୁନା ଓ ମା’ ସରସ୍ବତୀଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ମାଗିଛି। ମହାକୁମ୍ଭ ମେଳା ପାଇଁ ଉତ୍ତର ପ୍ରଦେଶ ସରକାର ଭଲ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କର ଟିମ୍ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ‘ବିକଶିତ ଭାରତ’କୁ ଆଗେଇ ନେବା ପାଇଁ ଏହା ମଧ୍ୟ ଏକ ବଳିଷ୍ଠ ଉଦ୍ୟମ।