ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତାକୁ ନା

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ  ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ଦେବାକୁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଥିଲା । ଏହାର ଶୁଣାରି ପରେ  ମୁଖ୍ୟ ବିଚାରପତି କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ନେଇ ସହମତି ଓ କିଛି ଅସହମତି ପ୍ରକାଶ ପାଇଛି  । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଶେଷରେ ଏହି ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ।  ଜଷ୍ଟିସ୍ ଏସ୍‌କେ କୌଲ, ଏସ୍‌ଆର୍ ଭଟ୍ଟ, ହିମା କୋହଲି ଓ ପିଏସ୍‌ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମଲିଙ୍ଗୀ ବିବାହର ବୈଧୀକରଣ ମାମଲାର ୧୦ ଦିନ ଧରି ଶୁଣାଣି କରିବା ପରେ ଏହାର ରାୟ ସଂରକ୍ଷିତ ରଖିଥିଲେ। କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବେ। ନୂତନ ଆଇନ ପ୍ରଣୟନ କରିବା ସଂସଦ ବା ବ୍ୟବସ୍ଥାପନା ସଭାର ଅଧିକାର। ତେଣୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ସଂସଦର ଅଧିକାର କ୍ଷେତ୍ର ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମଲିଙ୍ଗୀଙ୍କ ଲାଗି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମଲିଙ୍ଗୀ ବିବାହକୁ ନେଇ ୧୮ ଜଣ ସମଲିଙ୍ଗୀ ଯୋଡିଙ୍କ ଦ୍ୱାରା କରାଯାଇଥିବା ଆବେଦନ ଉପରେ ଶୁଣାଣି କରି  ସୁପ୍ରିମେକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମନା କରିଥିବା ବେଳେ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏହି ବିବାହକୁ ସ୍ବୀକୃତି ଦିଆଯାଇପାରିବ ନାହିଁ ବୋଲି କହିଥିଲେ ।